ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡର ସାଂଘାତିକ ସତ! ୱେବସିରିଜ୍ ଦେଖି ହତ୍ୟା କରିଥିଲା ପିଶାଚ ପ୍ରେମିକ।

206

କନକ ବ୍ୟୁରୋ: ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ସାଙ୍ଘାତିକ ଓ ଥରାଇ ଦେଲାଭଳି ତଥ୍ୟ ସାମ୍ନାକୁ ଆସୁଛି । ନିଜ ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ଅଫତାବ ଅମିନ ପୁନାୱାଲା ଏବେ ଜେଲର କାଳକୋଠରୀ ଭିତରେ । ହେଲେ ତଦନ୍ତ ବେଳେ ସେ ଯେଉଁ କଥା କହିଛି, ତଦନ୍ତକାରୀ ଅଧିକାରୀ ବି ହତଚକିତ ହୋଇଯାଇଛନ୍ତି । ଶ୍ରଦ୍ଧାଙ୍କୁ ହତ୍ୟା ପାଇଁ ୱେବସିରିଜ୍ ଦେଖି ଷଡ଼ଯନ୍ତ୍ର ରଚିଥିଲା ଅଫତାବ । ଆମେରିକୀୟ କ୍ରାଇମ ସୋ “ଡେକ୍ସଷ୍ଟର’କୁ ବାରମ୍ବାର ଦେଖୁଥିଲା ଅଫତାବ, ଆଉ ସେଥିରୁ ଠିକ୍ କରିଥିଲା ନିଜ ଅମାନବୀୟ କାଣ୍ଡର ବ୍ଲୁପ୍ରିଂଟ । ଆଉ ଠିକ୍ ୱେବ ସିରିଜରେ ଯେମିତି ହତ୍ୟାକାଣ୍ଡ ଘଟେ, ସେହିଭଳି ନିଜ ପ୍ରେମିକାକୁ ନିର୍ମମ ଭାବେ ଖଣ୍ଡ ଖଣ୍ଡ କରି କାଟି ପକାଇଥିଲା । ହତ୍ୟା ପରେ ୩୫ ଖଣ୍ଡ କରି ଶ୍ରଦ୍ଧାଙ୍କ ମୃତଦେହକୁ କାଟି ପକାଇଥିଲା ଅଫତାବ ଅମିନ, ଆଉ ସେସବୁକୁ ରେଫ୍ରିଜେରେଟରରେ ରଖିଥିଲା । ଆଉ ପ୍ରତି ରାତିରେ ଅଳ୍ପ ଅଳ୍ପ ଖଣ୍ଡ ନେଇ ଜଙ୍ଗଲରେ ଫିଙ୍ଗି ଦେଉଥିଲା, ନହେଲେ କୁକୁରଙ୍କୁ ଖାଇବାକୁ ଦେଉଥିଲା । ସେହିପରି କିପରି ରକ୍ତଛିଟା ଛଡ଼େଇ ହେବ, ସେଥିପାଇଁ ଗୁଗଲରେ ଉପାୟ ଖୋଜିଥିଲା । ଅଫତାବ “ଡେକ୍ଟଷ୍ଟର’ ସିରିଜରେ ଯେଉଁସବୁ କ୍ରାଇମ୍ ସିନ୍ ଦେଖିଥିଲେ ତାକୁ ବାସ୍ତବ ଜୀବନରେ କରିଚାଲିଥିଲା ଏହି ହତ୍ୟାକାରୀ ।

ଅଭିଯୁକ୍ତ ଅଫତାବକୁ ସାଥୀରେ ନେଇ ମେହରୌଲି ଜଙ୍ଗଲରେ ତଦନ୍ତ ଚଳାଇଛି ଦିଲ୍ଲୀ ପୋଲିସ୍ । ସିନ୍ ରିକ୍ରିଏସନ କରି ହତ୍ୟାକାଣ୍ଡର ରହସ୍ୟ ବୁଝିଛି ପୋଲିସ୍ । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଏଯାଏଁ ଉଦ୍ଧାର ହୋଇନାହିଁ । ହତ୍ୟାକାଣ୍ଡ ସ୍ଥଳରେ ଫରେନ୍ସିକ ଯାଞ୍ଚ କରାଯାଇ ୧୦ଟି ସାମ୍ପୁଲକୁ ରିପୋର୍ଟ ପାଇଁ ପଠାଯାଇଛି । ଏସବୁ ଭିତରେ ତଦନ୍ତକାରୀ ଦଳ ହାତରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ହତ୍ୟାକାଣ୍ଡ ଘଟାଇବା ପରେ ଶ୍ରଦ୍ଧାଙ୍କ ସାଙ୍ଗମାନଙ୍କ ସହ ସୋସିଆଲ ମିଡିଆରେ ଲଗାତର ଚାଟ କରୁଥିଲା ଅଫତାବ ଅମିନ ।

ତଦନ୍ତ ଆଗକୁ ବଢ଼ୁଥିବା ବେଳେ ଶ୍ରଦ୍ଧାଙ୍କ ବାପାଙ୍କ ଅଭିଯୋଗ ଏକ ନୂଆ ବିବାଦ ସୃଷ୍ଟି କରିଛି । ସେ କହିଛନ୍ତି ଯେ, ଲଭ୍ ଜିହାଦ ପାଇଁ ଅଫତାବ ଅମିନ ତାଙ୍କ ଝିଅ ଶ୍ରଦ୍ଧାକୁ ହତ୍ୟା କରିଛି । ଏହାସହ ଅଫତାବକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି । ଅଫତାବଙ୍କ ସହ ଶ୍ରଦ୍ଧାଙ୍କ ସମ୍ପର୍କକୁ ପ୍ରଥମରୁ ତାଙ୍କ ପରିବାର ବିରୋଧ କରିଆସୁଥିଲା । ହେଲେ ସେତେବେଳେ ଶ୍ରଦ୍ଧା କହିଥିଲେ, ଯେ ସେ ସାବାଳକ, ଠିକ୍ ଭୁଲର ନିଷ୍ପତି ନିଜେ ନେଇପାରିବେ, ଆଉ ଯାହା ସହ ଚାହିଁବେ ତା ସହ ରହିପାରିବେ ।