ବଦଳିଲା ସ୍ୱାଧୀନତା ଦିବସ ସମାରୋହ ସ୍ଥାନ :  ଲୋୟର ପିଏମଜି ବଦଳରେ ୟୁନିଟ-୩ ପ୍ରଦଶର୍ନୀ ପଡିଆରେ ଚଳିତବର୍ଷର ସ୍ୱାଧୀନତା ଦିବସ

265

କନକ ବ୍ୟୁରୋ : ଚଳିତ ଥର ବଦଳିବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସ୍ଥାନ । ରାଜ୍ୟସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ସମାରୋହ ଭୁବନେଶ୍ୱରର ୟୁନିଟ୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା କାଳରେ କିପରି ସ୍ୱାଧୀନତା ଦିବସ ସମାରୋହ କରାଯିବ, ଏ ନେଇ ପ୍ରସ୍ତୁତି ବୈଠକ ହୋଇଛି । ସୂଚନା ଓ ପ୍ରସାରଣ ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କ ଏଥିରେ ଅଧ୍ୟକ୍ଷତାରେ କରିଥିଲେ । ପୂର୍ବରୁ ଲୋୟର ପିଏମଜିରେ ଏହି ସମାରୋହ ଆୟୋଜିତ ହେଉଥିଲା ।

ଏଥିରେ ନିଷ୍ପତ୍ତି ହୋଇଛି ଯେ, କୋଭିଡ୍ ମାର୍ଗଦର୍ଶିକାର ଠିକ୍ ଅନୁପାଳନ କରାଯାଇ ସ୍ବଳ୍ପ ସଂଖ୍ୟକ ଅତିଥି, କୋଭିଡ୍‌ ଯୋଦ୍ଧା, ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ସ୍ବାଧୀନତା ଦିବସ ଆୟୋଜନ ହେବ । ଗୃହ ବିଭାଗ ଦ୍ବାରା ଚିହ୍ନଟ ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆ ଠାରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ, ସକାଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ଡାକବାଜି ଯନ୍ତ୍ର ଦ୍ବାରା ରାମଧୁନ୍ ପରିବେଷଣ, ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ଉତ୍ସବସ୍ଥଳର ସାଜସଜ୍ଜା, ନିମନ୍ତ୍ରିତ ଅତିଥି ଓ କୋଭିଡ ଯୋଦ୍ଧାଙ୍କ ଉପବେଶନ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଏଥିରେ ନିଷ୍ପତ୍ତି ହୋଇଛି ଯେ, ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୋଠା, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାର ଆଲୋକୀକରଣ ହେବ । ବିଏମ୍‌ସି ପକ୍ଷରୁ ଉତ୍ସବ ସ୍ଥଳରେ ବିଶୋଧନ କରାଯିବ ଏବଂ ପିଇବା ପାଣି ଯୋଗାଯିବ । ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣକୁ ଡିସିପି, ଭୁବନେଶ୍ବର ପରିଚାଳନା କରିବେ । ପୂର୍ବ ବର୍ଷ ପରି ଏଥର ବି ନୂଆଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ବାଧୀନତା ଦିବସ ପାଳନ ହେବ । ସେହିପରି ଆର୍‌ଡିସି ଜୋନ୍, ଜିଲ୍ଲା ଏବଂ ଉପଖଣ୍ଡସ୍ତରରେ କୋଭିଡ୍ ନିୟମାବଳି ମଧ୍ୟରେ ସ୍ବାଧୀନତା ଦିବସ ପାଳନ କରାଯିବ ।