ଅକ୍ଟୋବର-୩ରେ ହେବ ଜେଇଇ ଆଡଭାନ୍ସ ପ୍ରବେଶିକା ପରୀକ୍ଷା : କୋଭିଡ କଟକଣା ଅନୁଯାୟୀ କରାଯିବ ପରୀକ୍ଷା, ପୂର୍ବରୁ ଜୁଲାଇ ୩ ରେ କରିବାକୁ ହୋଇଥିଲା ଘୋଷଣା

68

କନକ ବ୍ୟୁରୋ : ଅକ୍ଟୋବର ୩ରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ବା ଆଇଆଇଟିରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ । ଜେଇଇ ଆଡଭାନ୍ସଡ୍-୨୦୨୧ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କୋଭିଡ୍ କଟକଣା ଅନୁସାରେ ଆଇଆଇଟିରେ ଆଡମିସନ୍ ପାଇଁ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଅକ୍ଟୋବର ୩ ତାରିଖରେ ଅନୁଷ୍ଠିତ ହେବ । ସମସ୍ତ କୋଭିଡ୍ ନିୟମ ପାଳନ କରାଯାଇ ଏହି ପରୀକ୍ଷା କରାଯିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଚଳିତ ବର୍ଷ ଆଇଆଇଟି ଖଡ଼ଗପୁର ଜେଇଇ ଆଡଭାନ୍ସଡ୍ ପରୀକ୍ଷା ପରିଚାଳନା କରିବ । ଏହି ପରୀକ୍ଷାର ଫଳାଫଳ ଅନୁଯାୟୀ କୃତି ଛାତ୍ରଛାତ୍ରୀମାନେ ଦେଶର ମର୍ଯ୍ୟାଦାସଂପନ୍ନ ୨୩ଟି ଆଇଆଇଟିରେ ନାମ ଲେଖାଇ ପାରିବେ । ଜେଇଇ ମେନ୍ ପରୀକ୍ଷା ଫଳାଫଳ ଆଧାରରେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ଜୁଲାଇ ୩ ତାରିଖରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ କରୋନା ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।

ସେପଟେ ନୂଆଶିକ୍ଷା ନୀତିରେ ଗବେଷଣା ପାଇଁ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଖର୍ଚ କରିବାକୁ ଯୋଜନା ରହିଛି ବୋଲି ଲୋକସଭାରେ ଏକ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ଓ ସଦୃଢ କରିବାକୁ ସରକାର ଏକ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ କରିବାକୁ ପ୍ରସ୍ତାବ ଦେଇଛନ୍ତି ।