ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅଫଲାଇନ ମାଟ୍ରିକ ପରୀକ୍ଷା ଦେବା ପ୍ରସଙ୍ଗ : ରୋକ ଲଗାଇଲେ ଓଡିଶା ମାନବାଧିକାର କମିଶନ

173

କନକ ବ୍ୟୁରୋ : ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବା ଉପରେ ରୋକ ଲଗାଇଛନ୍ତି ଓଡିଶା ମାନବାଧିକାର ଆୟୋଗ । ଆସନ୍ତା ଜୁଲାଇ ୩୦ ତାରିଖରୁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୩୯ ଜଣ ଭିନ୍ନକ୍ଷମ ପିଲାଙ୍କୁ ମାଟ୍ରିକ ପରୀକ୍ଷା ଦେବା ନିର୍ଦ୍ଦେଶକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସ୍ଥଗିତ ରଖାଯାଇଛି । ଏହାସହ ବୋର୍ଡ ଓ ଏହାର ଅଧିକାରୀମାନଙ୍କୁ ତାଗିଦ କରି ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । କମିଶନ କହିଛନ୍ତି, ଯଦି କୌଣସି ଏକ ଭିନ୍ନକ୍ଷମ ପିଲାଙ୍କ ପ୍ରତି ଅଘଟଣ ଘଟେ ସେମାନେ ସେଥିପାଇଁ ଉତ୍ତରଦାୟୀ ରହିବେ ।

ହ୍ୟୁମାନ୍ ରାଇଟ୍ସ ଫ୍ରଂଟ ଇଣ୍ଡିଆ ପକ୍ଷରୁ ଏକ ଆବେଦନ ମାଧ୍ୟମରେ ଗତ ଜୁନ ୩୦ ତାରିଖରେ କମିଶନକୁ ଅନ୍ୟ ସାଧାରଣ ମାଟ୍ରିକ ଛାତ୍ରଛାତ୍ରୀ ଭଳି ଫଳାଫଳ ପ୍ରକାଶ କରିବାକୁ ଅନୁରୋଧ କରାଯାଇଥିଲା । କମିଶନ ଏହାକୁ ବିଚାରକୁ ନେଇ ୨୨ ଜୁଲାଇ ମଧ୍ୟରେ ଉଭୟ ବୋର୍ଡ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରକୁ ସବିଶେଷ ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାରି ମଧ୍ୟରେ ବୋର୍ଡ ଜୁଲାଇ ୩୦ରୁ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେବାରୁ ହ୍ୟୁମାନ ରାଇଟ୍ସ ଫ୍ରଂଟ ଇଣ୍ଡିଆ ପକ୍ଷରୁ ପୁଣି ଏକ ମାମଲା ଦାୟର କରାଯାଇଥିଲା ।

ଏଥିରେ ମଧ୍ୟବର୍ତୀକାଳୀନ ନିର୍ଦ୍ଦେଶ ଦେଇ ପରୀକ୍ଷାକୁ ବାତିଲ କରିବା ସହିତ ୧୩୯ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପୂର୍ବ ପରୀକ୍ଷାଫଳ ଅନୁଯାୟୀ ଉତ୍ତୀର୍ଣ୍ଣ କରିବାକୁ ଅନୁରୋଧ କରାଯାଇଥିଲା । ଆଉ ଏହାର ଶୁଣାଣି କରି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବା ଉପରେ ରୋକ ଲଗାଇଛନ୍ତି ଓଡିଶା ମାନବାଧିକାର ଆୟୋଗ ।