ଅର୍ଥ ଅଭାବରୁ ବନ୍ଧା ପଡିଛି ମେଧାବୀ ଛାତ୍ରୀଙ୍କ ସାର୍ଟିଫିକେଟ । କାକୁତି ମିନତି ହେଲେ ବି ଶୁଣୁନାହାନ୍ତି ସ୍କୁଲ କର୍ତୃପକ୍ଷ, ମାଟ୍ରିକରେ ଏ’ ଗ୍ରେଡ ପାଇଥିଲେ ଉଚ୍ଚଶିକ୍ଷାରୁ ବଞ୍ଚିତ ୨ ଛାତ୍ରୀ ।

434

କନକ ବ୍ୟୁରୋ : ସ୍କୁଲ ଫି ଦେଇନପାରିବା କାରଣରୁ ବନ୍ଧା ପଡିଗଲା ସାର୍ଟିଫିକେଟ । ଅଢେଇ ବର୍ଷ ହେଲା ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ରାଉରକେଲାର ୨ ଛାତ୍ରୀ । ଦଶମ ବୋର୍ଡ ପରୀକ୍ଷାରେ ଏ’ ଗ୍ରେଡ ପାଇଥିଲେ ମଧ୍ୟ ଘରେ ବସି ରହିଛନ୍ତି । ସ୍କୁଲ କର୍ତୃପକ୍ଷ କହୁଛନ୍ତି, ଟଙ୍କା ଦିଅ ସାର୍ଟିଫିକେଟ ନେଇଯାଅ ।

ରାଉରକେଲାର ଜଗଦା ସ୍ଥିତ ସେଣ୍ଟମେରି ଇଂରାଜି ମାଧ୍ୟମ ସ୍କୁଲରେ ପାଠ ପଢିଥିବା ଜୟଶ୍ରୀ ଓ ଭାଗ୍ୟଶ୍ରୀଙ୍କ ଆଖିରେ ଲୁହ । କାରଣ ଦଶମ ବୋର୍ଡ ପରୀକ୍ଷାରେ ଏ’ ଗ୍ରେଡ ପାଇ ଉତୀର୍ଣ୍ଣ ହୋଇଥିଲେ ବି ତାଙ୍କୁ ସ୍କୁଲ ସାର୍ଟିଫିକେଟ ଦେଉନାହିଁ । ସ୍କୁଲ ଫି ଦେବାରେ ଅସମର୍ଥ ହୋଇଥିବା କାରଣରୁ ସ୍କୁଲ କର୍ତୃପକ୍ଷ ବୋର୍ଡ ସାର୍ଟିଫିକେଟ, ମାର୍କସିଟ ଏବଂ ସ୍କୁଲ ଲିଭିଂ ସାର୍ଟିଫିକେଟ ଦେବାକୁ ରୋକଠୋକ ମନା କରିଦେଇଛନ୍ତି ।

କୁଆଁରମୁଣ୍ଡା ବ୍ଲକ ରିଉଁ ଗାଁର ଏହି ପରିବାର ଅତି ଗରିବ ପରିବାର । ମାଗି ଯାଚି କୌଣସି ମତେ ପରୀକ୍ଷା ଦେବା ପର୍ଯ୍ୟନ୍ତ କଥା ଚାଲିଗଲା । ଆଡମିଟ କାର୍ଡ ଦେବାକୁ ବି ମନା କରିଦେଇଥିଲା ସ୍କୁଲ । ତେବେ କାକୁତି ମିନତି ହେବା ପରେ ଏବଂ ଏକ ନିର୍ଦ୍ଦିଷ୍ଟ ଅର୍ଥ ଜମା କରିବା ପରେ ଆଡମିଟ କାର୍ଡର ଜେରକ୍ସ କପି ଦିଆଯାଇ ପରୀକ୍ଷା ପାଇଁ ସୁଯୋଗ ଦିଆଗଲା ।  ୨ ଭଉଣୀ ପରୀକ୍ଷାରେ ଏ ଗ୍ରେଡ ପାଇଲେ ହେଲେ ସ୍କୁଲ ଫି ଦେଇନଥିବାରୁ ୨୦୧୭ ଜୁନ ମାସରୁ ସ୍କୁଲରେ ବନ୍ଧାପଡିଛି ସାର୍ଟିଫିକେଟ ।

ସାର୍ଟିଫିକେଟ ନ ମିଳିବା କାରଣରୁ ଅଢେଇବର୍ଷ ହେଲା ଦୁଇ ଭଉଣୀ କଲେଜ ବାରଣ୍ଡା ମାଡିପାରିନାହାନ୍ତି । ଅନ୍ୟପକ୍ଷରେ ସ୍କୁଲ କର୍ତୃପକ୍ଷ ନିଜ ଜିଦରେ ଅଟଳ । ତାଙ୍କ କହିବା ହେଲା, ଟଙ୍କା ଦିଅ, ସାର୍ଟିଫିକେଟ ନିଅ । ରାଉରକେଲାର ଜଗଦାସ୍ଥିତ ସେଂଟମେରୀ ସ୍କୁଲର ଏହି ପ୍ରିନସପାଲ ଜାଣିରଖିବା ଉଚିତ ଯେ ଜଣେ ଗରିବ ହେଲେ ବି ତାର ପାଠ ପଢିବାର ଅଧିକାର ଅଛି । ଶିକ୍ଷା ଅଧିକାର ଆଇନ, ଜୟଶ୍ରୀ ଓ ଭାଗ୍ୟଶ୍ରୀଙ୍କୁ ଏହି ଅଧିକାର ଦେଇଛି । ବାପା ମୂଲ ଲାଗୁଛନ୍ତି ବୋଲି ଇଂରାଜୀ ପଢୁଆ ଏହି ପ୍ରିନସିପାଲ ତାଙ୍କୁ କେତେ ଦିନ ନାଲି ଆଖି ଦେଖାଉଛନ୍ତି ତାହା ଦେଖିବାର କଥା ।