ଏମିତି ହୋଇଥିଲା ୧୯୯୯ ମହାବାତ୍ୟା ମୁକାବିଲା । ସନ୍ଧ୍ୟାରେ ଜ୍ୟୋତିଷ ଦେଖାଇ ଅଚିନ୍ତାରେ ଶୋଇପଡିଥିଲେ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଆଉ ତାପରେ… ।

2,683

କନକ ବ୍ୟୁରୋ : ମହାବାତ୍ୟାର ୨୦ ବର୍ଷ ପୂର୍ତ୍ତିରେ ପୁଣିଥରେ ଚର୍ଚ୍ଚାକୁ ଫେରିଛିି ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଜ୍ୟୋତିଷ ଦେଖା ପ୍ରସଙ୍ଗ । ବାତ୍ୟା ମୁକାବିଲା ପାଇଁ ୩ଜଣ ଜ୍ୟୋତିଷଙ୍କ ପରାମର୍ଶ ନେଇଥିଲେ ଗମାଙ୍ଗ । ଆଉ ଜ୍ୟୋତିଷଙ୍କ ଅଭୟବାଣୀ ପାଇବା ପରେ ନିଶ୍ଚିନ୍ତରେ ଶୋଇପଡିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ସକାଳୁ ଦେଖିବା ବେଳକୁ ସବୁ କିଛି ଛାରଖାର ହୋଇଯାଇଥିଲା । କଣ ଥିଲା ପୂରା କାହାଣୀ, ସେନେଇ ରୁବେନ ବାନାର୍ଜୀଙ୍କ ପୁସ୍ତକରେ ଏହି ପୂରା ଘଟଣା ସ୍ଥାନ ପାଇଛି ।

ଅକ୍ଟୋବର ୨୮, ୧୯୯୯ । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭିତରେ ଥାନ୍ତି ଓଡ଼ିଶାର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଗିରିଧିର ଗମାଙ୍ଗ । ତା’ଙ୍କ ସହ ଘର ଭିତରେ ଥାନ୍ତି ପୁରୀରୁ ଆସିଥିବା ୩ଜଣ ଜ୍ୟୋତିଷ । ଆଲୋଚନାର ବିଷୟ ଥାଏ, ସମ୍ଭାବ୍ୟ ବାତ୍ୟାର ଗତିପଥ କ’ଣ ହେବ? ବେଶ କିଛି ସମୟର କଥାବାର୍ତା ଏବଂ ଗଣନା ପରେ ୩ ଜଣ ଜ୍ୟୋତିଷଙ୍କ ମଧ୍ୟରୁ ଜଣେ ଜ୍ୟୋତିଷ ମୁଖ୍ୟମନ୍ତ୍ରୀଙ୍କୁ କହିଲେ, ବାତ୍ୟା ବହୁ ଉଚ୍ଚରେ ଓଡ଼ିଶା ସୀମା ଅତିକ୍ରମ କରିଯିବ ।

ଗିରିଧର ଗମାଙ୍ଗଙ୍କୁ ଖୁସି କରିବା ପାଇଁ ଆଉ ଜଣେ ଜ୍ୟୋତିଷ କହିଲେ, ବାତ୍ୟାର ଗତିପଥ ଦୁଇ ଭାଗରେ ବିଭକ୍ତ ହୋଇ ଅତିକ୍ରମ କରିବ । ଗୋଟିଏ ଦିଗ ଆନ୍ଧ୍ର ଆଡକୁ ମୁହାଁଇବ ଏବଂ ଆଉ ଗୋଟିଏ ଦିଗ ପଶ୍ଚିମବଙ୍ଗ ଦେଇଯିବ । ତୃତୀୟ ଜ୍ୟୋତିଷ ଜଣକ କହିଲେ, ଆପଣ କୌଣସି ଏକ ଧାତୁ ଧାରଣ କରନ୍ତୁ । ବାତ୍ୟା ଆସିଲେ ବି ଆପଣଙ୍କ ଛାତିରେ ମାଡ଼ ହୋଇ ପୁଣି ସମୁଦ୍ରକୁ ଫେରିଯିବ । ହେଲେ ଆଉ ଓଡ଼ିଶାର କୌଣସି କ୍ଷତି ହେବ ନାହିଁ । ତିନି-ତିନି ଜଣ ଜ୍ୟୋତିଙ୍କଠାରୁ ଅଭୟବାଣୀ ପାଇବା ପରେ ଅଚିନ୍ତାରେ ଶୋଇଯାଇଥିଲେ ତକ୍ରାଳିନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ।

ମହାବାତ୍ୟା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନେଇ କୁହାଯାଇଥିବା ଏହି କାହାଣୀ ଆମେ କହୁନୁ । ବରଂ ଦେଶର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ତଥା ଲେଖକ ରୁବେନ୍ ବାନାର୍ଜୀ ତାଙ୍କ ବହିରେ ଏ ସଂପର୍କରେ ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ ଉପରେ ରୁବେନ ବାନାର୍ଜୀ ଲେଖିଥିବା ପୁସ୍ତକରେ ୯୯ବାତ୍ୟା ଏବଂ ଗିରିଧର ଗମାଙ୍ଗଙ୍କ ସଂପର୍କରେ ପୁରା ଘଟଣାକ୍ରମ ଲେଖିଛନ୍ତି ରୁବେନ ।

ଜ୍ୟୋତିଷଙ୍କଠାରୁ ଅଭୟବାଣୀ ପାଇବା ପରେ ଅଚିନ୍ତାରେ ଗିରିଧିର ଗମାଙ୍ଗ, ସେତେବେଳେ ଆରାମରେ ଶୋଇଗଲେ । ହେଲେ ଯେତେବେଳେ ପରଦିନ ତାଙ୍କ ଆଖି ଖୋଲିଥିଲା । ଗିରିଧାରୀଙ୍କ ସାମ୍ନାରେ ଥିଲା ବିଭିଷିିକାର ଏକ ଅଭାବନୀୟ ଚିତ୍ର । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଭାଙ୍ଗିପଡ଼ିଥିଲା ବଡ଼ ବଡ଼ ଗଛ । ବିଦ୍ୟୁତ ଓ ଟେଲିଫୋନ୍ ସଂଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାମ କରୁଥିବା କର୍ମଚାରୀମାନେ ଜେନେରେଟରରେ ଡିଜେଲ ପକାଇବାକୁ ଭୁଲି ଯାଇଥିବାରୁ ଗିରିଧର ଗମାଙ୍ଗଙ୍କୁ ଅନ୍ଧାରରେ ଦିନ କାଟିବାକୁ ପଡ଼ିଥିଲା ।

କୁହାଯାଏ, ଦିନ ଯାଏ ଚିହ୍ନ ରୁହେ, ଆଉ ଚିହ୍ନ କଥା ମନେ ରୁହେ । ଆଜି ମହାବାତ୍ୟାକୁ ୨୦ବର୍ଷ ପୁରିଛି, ଆଉ ଏମିତି ବେଳେ ପୁଣି ଥରେ ସାମ୍ନାକୁ ଆସିଛି, ୨୦ବର୍ଷ ତଳର ସେହି ବିବାଦୀୟ କାହାଣୀ ।