ଘରେ ରୋଗୀଣା ମାଆ ଓ ସାନ ଭାଇର ଦାୟିତ୍ୱ : ବାପା ଚାଲିଯିବା ପରେ ୧୩ ବର୍ଷର ପୁଅ ମୁଣ୍ଡରେ ପରିବାର ବୋଝ

272

କନକ ବ୍ୟୁରୋ : ସାଙ୍ଗ ସାଥୀଙ୍କ ସହ ଖେଳିବା ସମୟରେ ପରିବାର ଚଳାଇବାର ବୋଝ । ବାପାଙ୍କ ମୃତ୍ୟୁ ପରେ ପରିବାର ଚଳାଉଛି ୧୩ ବର୍ଷର ପୁଅ ଚୁମନ୍ । ଘରେ ରୋଗୀଣା ମାଆ ଓ ସାନ ଭାଇର ଦାୟିତ୍ୱ ଅନ୍ୟପଟେ ନିଜେ ଦେଖିଥିବା ସ୍ୱପ୍ନ । ଘରକୁ ଘର ବୁଲି ଖବରକାଗଜ ବାଣ୍ଟୁଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ର ଚୁମନ ରାଓ । ସ୍କୁଲ ସମୟରେ ୧୦ରୁ ୪ଟା ସ୍କୁଲ ଯାଉଛନ୍ତି ଏହାପରେ ସଂଧ୍ୟାରେ ସାଇକେଲ ଦୋକାନରେ କାମ କରୁଛନ୍ତି ।

ଏଭଳି ଦୃଶ୍ୟ ଆପଣଙ୍କୁ ହୁଏତ କେଉଁ ଚଳଚିତ୍ରରେ ଦେଖିଥିବେ । କିନ୍ତୁ ଡାକ୍ତର ହେବାର ସ୍ୱପ୍ନ ନେଇ ସକାଳୁ ରାତି ଯାଏଁ ସଂଘର୍ଷ କରିଚାଲିଥିବା ଏହି ଚୁମନ ରାଓ ହେଉଛନ୍ତି ବଲାଙ୍ଗୀର ସହର କନ୍ଧପାଲି ପଡାର ସିଭିଲ ରାଓଙ୍କ ପୁଅ । ଚୁମନ ଏକ ଘରୋଇ ସ୍କୁଲରେ ମେଧାବୀ ଛାତ୍ର ଭାବରେ ପାଠ ପଢି ଆସୁଥିଲେ । ସବୁ ବିଷୟରେ ସେ ଭଲ ନମ୍ବର ରଖୁଥିଲେ । ହଠାତ୍ ସିଭିଲ ରାଓ ଯକ୍ଷ୍ମା ରୋଗରେ ପୀଡ଼ିତ ହେବାପରେ ପ୍ରାୟ ଦେଢ଼ ବର୍ଷ ପୂର୍ବେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ କିଛିଦିନ ଦୁଇ ପୁଅଙ୍କୁ ଦୁଃଖେ କଷ୍ଟେ ନେଇ ଚଳୁଥିଲେ ସୁନିନ୍ୟା ।

କିନ୍ତୁ ଧିରେ ଧିରେ ସେ ମଧ୍ୟ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଗଲେ । ଏହାପରେ ରୋଗୀଣା ମାଆ ଓ ସାନ ଭାଇର ଦାୟିତ୍ୱ ନେଇଛନ୍ତି ୧୩ ବର୍ଷର ପୁଅ ଚୁମନ୍ । ପରିବାରର ବୋଝ ମୁଣ୍ଡେଇ ସଙ୍ଘର୍ଷ କରୁଛି ଚୁମନ୍ । ବାପା ଯିବା ପରେ ଘରୋଇ ସ୍କୁଲରେ ଫି ଦେଇ ନପାରିବାରୁ ବଲାଙ୍ଗୀର ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି ଚୁମନ୍ ।