ବାଲିଯାତ୍ରାରେ ରୋଚକ ଘଟଣା : ସ୍ପେନର ମହିଳା ଜଣେ ଶିଶୁକନ୍ୟାକୁ କଲେ ପୋଷ୍ୟ ଗ୍ରହଣ

205

କନକ ବ୍ୟୁରୋ : ବାଲିଯାତ୍ରାରେ ରୋଚକ ଘଟଣା । କଟକ ବାଲିଯାତ୍ରା ପଡ଼ିଆରେ ସ୍ପେନର ଜଣେ ମହିଳା ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ପୋଷ୍ୟସନ୍ତାନ ନିର୍ଦ୍ଦେଶାବଳୀ-୨୦୨୨ ଅନୁଯାୟୀ, ସେପ୍ଟେମ୍ବର ୧ ୨୦୨୨ ତାରିଖ ଠାରୁ ଜିଲ୍ଲାପାଳ ତଥା ଜିଲା ମାଜିଷ୍ଟ୍ରେଟଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ଦଲିଲକୁ ସ୍ୱୀକୃତି ଦେବାର କ୍ଷମତା ପ୍ରଦାନ କରାଯାଇଛି ।

କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ଏହାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏଥି ସହିତ ନୂଆ ଆଇନ କାର୍ଯ୍ୟକାରୀ କରିବାରେ କଟକ ରାଜ୍ୟରେ ପ୍ରଥମ ବୋଲି ସେ କହିଛନ୍ତି । ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ସିଲଭିଆଙ୍କ ଭାଇ ମ୍ୟାରିଓ ହେରାନଜ ଓ ସ୍ପେନର ପ୍ରତିନିଧିଭାବେ ଭାରତରେ ରହୁଥିବା ମୋତି ମେହେଗାନୀ ପ୍ରମୁଖ ଉପସ୍ଥିତ ଥିଲେ । କିଛିବର୍ଷ ହେଲା ଉକ୍ତ ସ୍ପେନ୍ ମହିଳା ଶିଶୁ କନ୍ୟା ପୋଷ୍ୟ ପାଇଁ ଆବେଦନ କରିଥିଲେ ।

ଯେତେବେଳେ ବିଦେଶର କେହି ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆବେଦନ କରନ୍ତି, ସେତେବେଳେ ଆକ୍ରିଡେଟେଡ୍ ଫରେନ୍ ଆଡପ୍ସନ୍ ଏଜେନ୍ସି (ଆଫା) ଓ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାର ଅନୁମତି ଆବଶ୍ୟକ ପଡ଼େ । ମାସେ ତଳେ ଜିଲ୍ଲାପାଳଙ୍କ କୋର୍ଟରେ ଏହି ଆବେଦନର ଶୁଣାଣି ହେବାପରେ ଏହାର ସମସ୍ତ ଯାଞ୍ଚ କରାଯାଇ ପୋଷ୍ୟ ସନ୍ତାନ ଗ୍ରହଣକୁ ଜିଲ୍ଲାପାଳ ସ୍ୱୀକୃତି ଦେଇଥିଲେ । ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ସ୍ପେନର ଏହି ମହିଳା ଜଣକ ହେଉଛନ୍ତି ଜଣେ ଶିକ୍ଷୟିତ୍ରୀ ।