ସ୍ୱାର୍ଥପର ଦୁନିଆରେ ସର୍ତ୍ତ ନରଖୁଥିବା ମଣିଷଟିଏ । ଲୁହ ପୋଛିଦେଇ, କାନ୍ଧରେ ହାତ ରଖି ସାହସ ଦେଉଥିବା ଦମ୍ଭ ସିଏ, ଆପଣାର ମଣିଷକୁ ବନ୍ଧୁତ୍ୱ ଦିବସର ଶୁଭେଚ୍ଛା ।

359

କନକ ବ୍ୟୁରୋ: ବନ୍ଧୁତ୍ୱ ଏମିତି ଏକ ସମ୍ପର୍କ… ଯେଉଁଥିରେ ନା ଥାଏ କିଛି ସର୍ତ୍ତ ନା ଥାଏ କିଛି ନିୟମକାନୁନ୍ ନା ଶିଖିବାକୁ ଦରକାର କୌଣସି ଶିକ୍ଷାନୁଷ୍ଠାନ । ରକ୍ତଠୁ ଗଭୀର ଯଦି କୌଣସି ସମ୍ପର୍କ ଥାଏ ସେ ହେଉଛି ବନ୍ଧୁତ୍ୱ । ଚୁଟି ଟଣାଠୁ ଚିମୁଟା ଚିମୁଟି, ଠେଲାପେଲାଠୁ ଠୋ, ଠା ଚାପୁଡ଼ା ପୁଣି ପିଠିକୁ ଥାପୁଡ଼ାଇ କାନ୍ଧରେ ହାତକୁ ରଖି ସାହସ ଭରୁଥିବା ସମ୍ପର୍କ ହେଉଛି ସାଙ୍ଗ ।

ସ୍ଥାନ,ସମୟ, ପରିସ୍ଥିତି ପରିବର୍ତ୍ତନ ହୁଏ କିନ୍ତୁ ସାଙ୍ଗର ସଂଜ୍ଞାକୁ ମନରୁ କେହି କେବେ ମାଇନସ୍ କରିପାରେନି । ବନ୍ଧୁତା ବେଳେବେଳେ ବାଟବଣା ହୁଏ କିନ୍ତୁ ଭଲ ବନ୍ଧୁଙ୍କ ମଧ୍ୟରେ ବାଦବିବାଦର ବନ୍ଧ ବେଶିଦିନ ରୁହେନି । ବୁଝାମଣା ଭୁଲ ହୋଇପାରେ କିନ୍ତୁ ଦୁଇ ସଚ୍ଚା ବନ୍ଧୁଙ୍କ ମଧ୍ୟରେ କମେନି ଭଲପାଇବା ।

ଅନେକ ସମୟରେ କିମ୍ବଦନ୍ଦୀରେ ଆମେ କୃଷ୍ଣ ସୁଦାମାଙ୍କ ପବିତ୍ର ବନ୍ଧୁତାର ଉଦାହରଣ ଦେଖିଆସୁଛେ । ହେଲେ ଆଜିର ମଡର୍ଣ୍ଣ ଦୁନିଆରେ ମନକୁ ବୁଝିପାରୁଥିବା ମଣିଷକୁ ଆମେ ସାଙ୍ଗେ ସାଙ୍ଗେ ନିଜର ବିଶ୍ୱସ୍ତ ବନ୍ଧୁଭାବେ ବାଛିଦେଉ । ଆଧୁନିକ ଯୁଗରେ ବନ୍ଧୁତ୍ୱକୁ ନେଇ ଅନେକ ଉଦାହରଣ ଅଛି କିନ୍ତୁ ସଚ୍ଚୋଟ ସାଙ୍ଗ ସମୟ ନୁହେଁ ସୁଖ ଆଉ ଦୁଃଖ ଏବଂ ସ୍ନେହ ଆଦରକୁ ଆପଣାଇ ନେଇଥାଏ ।

 

କ୍ୟାଲେଣ୍ଡର ପରେ କ୍ୟାଲେଣ୍ଡର କଡ଼ ଲେଉଟାଏ । ହେଲେ ବନ୍ଧୁତାର କାହାଣୀ କେବେ ବଦଳିନଥାଏ । ଗୋଟିଏ ଯୁଗର ଅବସାନ ହୁଏ କିନ୍ତୁ ଜଣେ ସାଙ୍ଗର ସମ୍ପର୍କ ଭିତରେ ଶେଷ ସୀମା ନଥାଏ । ହଁ ବନ୍ଧୁତା ମଧ୍ୟରେ ସନ୍ଦେହର ସମୁଦ୍ର ଗର୍ଜନ କରେ, ଲୁହର ଲହଡ଼ି ବି ମାଡ଼ିଆସେ । ହେଲେ ପ୍ରକୃତ ବନ୍ଧୁ ବିପତ୍ତି ସମୟରେ ନିଜେ ବଡ଼ ବରଗଛ ପାଲଟିଯାଏ । ଟାଣ ଖରାଭଳି ଟେନସନ୍ ଆଗରେ ତା’ ସାଥ୍ ଜଳଛତ୍ର ଭଳି ପ୍ରାଣରେ ପାଣିଦେଇଥାଏ ।

ହଁ ଆପଣ ମାନନ୍ତୁ ଅବା ନମାନନ୍ତୁ… ମେସିନ ବନିଯାଉଥିବା ମଣିଷ ଏବେ ସେ ପୁରୁଣା ଦିନକୁ ମନେ ମନେ ଝୁରି ହେଉଛି । ପିଲାଦିନର ସାଙ୍ଗକୁ ମନେ ରଖିଛି, ସିଲଟ ଚକଖଡ଼ିରୁ ଆରମ୍ଭ ହେଇ ଖେଳପଡ଼ିଆ ଯାଏଁ ରହିଥିବା ବନ୍ଧୁତ୍ୱର ଅନେକ ସ୍ମୃତିକୁ ବହୁତ ଜଣ ସାଇତିକି ରଖିଥିବେ । ହେଲେ ସେ ହାତଲେଖା ଚିଠି କିମ୍ବା କାଗଜର ଗ୍ରିଟିଙ୍ଗ୍ସର କାହାଣୀ ଏବେ କାହାଣୀ ହୋଇ ରହିଯାଇଛି । ହ୍ୱାଟ୍ସଆପ ମେସେଜ୍ରୁ ଫେସବୁକ୍, ଟେଲିଗ୍ରାମ୍ରୁ ଟ୍ୱିଟର ନୂଆ ଦୁନିଆରେ ନୂଆ ବନ୍ଧୁ ବନିଯାଉଥିବେ । ଏପରିକି ସୋସିଆଲ ମିଡ଼ିଆରୁ ଏମିତି କିଛି ସମ୍ପର୍କ ସୃଷ୍ଟି ହୋଇ ସାରାଜୀବନ ଯାଏଁ ରହିଥାଏ । ହେଲେ ପିଲାଦିନର ସାଙ୍ଗ ପାଖରେ ସେ ଆପଣାର ପଣ ସବୁବେଳେ ଆନନ୍ଦ ଆଉ ଉଲ୍ଲାସ ଭରିଦିଏ । ବେଳେ ବେଳେ ବନ୍ଧୁତାର ବଡ଼ପଣ ଜଣେ ଅସୁବିଧାରେ ପଡ଼ିଲେ ହିଁ ଜାଣିହୁଏ । ଯେବେ ସ୍ୱାର୍ଥପରତାର ସିଲାବସରୁ ବାହାରି ସାଙ୍ଗ ତା’ ସମ୍ପର୍କକୁ ନିଭାଏ । ଟଙ୍କା ପଇସା ନହେଉ ପଛେ ସଙ୍କଟ ସମୟରେ କାନ୍ଧରେ ହାତ ଥୋଇ ତୋ ସହ ମୁଁ ଅଛି କୁହେ…

ଦିବ୍ୟାଙ୍ଗ ହୋଇ ବି ସେ ମୋ ପାଇଁ ହ୍ୱିଲଚେୟାର ବନିଯାଏ, ଆଖି ନଥାଇ ତା’ ଆଖିରେ ମୁଁ ଯେତେବେଳେ ସାରା ଦୁନିଆ ଦେଖେ, ସେତେବେଳେ ସାଙ୍ଗର ସଂଜ୍ଞା ସାରା ଦୁନିଆ ଦେଖିଥାଏ…
ଖାଲି ସାଙ୍ଗ ପାଇଁ ଆଜିକ ଆପଣ ଆଉ ମୁଁ ହାପି ଫ୍ରେଣ୍ଡସିପ୍ ଡେ’ ଲେଖି ହ୍ୱାଟ୍ସଆପ୍ ଫେସବୁକ ଷ୍ଟାଟସରେ ରଖିଦେବା । ଦିନ ଗଡ଼ିଯିବ ଆଉ ଷ୍ଟାଟସ ବି ଉଡ଼ିଯିବ । ହେଲେ ହୃଦୟରେ ରହିଥିବା ସାଙ୍ଗ ସାରା ଜୀବନ ସାଥିରେ ଥିବ, ଶ୍ମଶାନ ଯିବା ଯାଏଁ ବନ୍ଧୁତାର ବାର୍ତ୍ତା ଦେଉଥିବ ।