ଶିକ୍ଷକଙ୍କ ବଦଳି ପ୍ରତିବାଦ: ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ । 

103

କନକ ବ୍ୟୁରୋ: ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ ଗେଟ୍ରେ ତାଲା ପକାଇ ଧାରଣାରେ ଅଭିଭାବକ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବଡ଼ଆଙ୍କୋ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୧୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ିଥାନ୍ତି । ସ୍କୁଲରେ ମୋଟ ୪ ଜଣ ଶିକ୍ଷକ ଓ ଜଣେ  ଖେଳ ଶିକ୍ଷକ ରହିଛନ୍ତି । ତେବେ ଆବଶ୍ୟକ ଅନୁସାରେ ସ୍କୁଲରେ ଶିକ୍ଷକ ନଥିବାରୁ ପିଲାମାନେ ପାଠ ପଢ଼ି ପାରୁ ନଥିବା ଅଭିଭାବକ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିଲେ ।

ଅନ୍ୟପଟେ ସ୍କୁଲରେ ଶିକ୍ଷକ ନିଯୁକ୍ତି ବଦଳରେ ଏଠାରୁ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଉଥିବା ଅଭିଭାବକ ଶୁଣିଥିଲେ । ଫଳରେ ସ୍କୁଲରେ  ତାଲା ପକାଇ ୫ ଘଂଟାକାଳ ଧାରଣାରେ ବସିଥିଲେ ଅଭିଭାବକ । ଶିକ୍ଷକଙ୍କର ବଦଳି ବାତିଲ କରାଯିବା ସହ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଯୋଗାଇବାକୁ ଦାବି କରିଛନ୍ତି ଲୋକେ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି କୁହାଯାଇଛି । ଖବରପାଇ ଘଟଣାସ୍ଥଳରେ ପୁଲିସ ଓ ଅତିରିକ୍ତ ତହସିଲଦାର ମାନସ ରଂଜନ ସ୍ୱାଇଁ ପହଁଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଲୋକମାନେ ସ୍କୁଲ ଗେଟରେ ତାଲା ଖୋଲିଥିଲେ ।