ଇତିହାସ ରଚିଲା ବିରାଟବାହିନୀ ! ସେଂଚୁରିଅନ୍ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେବା ସହ ୫-୧ରେ ସିରିଜ୍ ଜିତିଲା ଭାରତ

64

କନକ ବ୍ୟୁରୋ: ସେଞ୍ଚୁରିଅନ୍ ଦିନିକିଆକୁ ଭାରତ ଅତି ସହଜରେ ୮ ଓ୍ଵିକେଟରେ ଜିତି ନେଲା । ତା’ ସହ ୬ ଟିକିଆ ଶୃଙ୍ଖଳାରେ ୫-୧ରେ ବିଜୟ ହାସଲ କଲା । ଦକ୍ଷିଣ ଆଫ୍ରିକାରେ ଅତୀତର କୌଣସି ଭାରତୀୟ ଦଳ ଯାହା କରି ନଥିଲା କୋହଲି ବାହିନୀ ତାହା କରି ଦେଖାଇଲା । ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ଅଭୁଲା ଦିନିକିଆ ଶୃଙ୍ଖଳାର ଶେଷ ମୁକାବିଲାରେ ମଧ୍ୟ ଜବରଦସ୍ତ ବିଜୟ ହାସଲ କଲା । ଅଧିନାୟକ ବିରାଟ କୋହଲି (୧୨୯ଞ୍ଚ ରନ୍, ୯୬ ବଲ୍, ୧୯ ଚୌକା, ୨ ଛକା)ଙ୍କ ବିରାଟ ରୂପ ବି ଅପରିବର୍ତିତ ରହିଲା । ୩୫ତମ ଶତକ ହାସଲ କରି ସେଞ୍ଚୁରିଅନରେ ଭାରତକୁ ସେ ଶୃଙ୍ଖଳା ସହ ଲଗାତାର ଦ୍ୱିତୀୟ ବିଜୟ ଉପହାର ଦେଲେ । ଭାରତ ଏଠାରେ ଖେଳା ଯାଇଥିବା ଚଳିତ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲାକୁ ମଧ୍ୟ ଜିତି ନେଇଥିଲା ।

କୋହଲିଙ୍କ ସହ ଭାରତର ଶୁକ୍ରବାର ବିଜୟରେ ଯୁବ ବୋଲର ସାର୍ଦୁଲ ଠାକୁର ମଧ୍ୟ ନିର୍ଣ୍ଣାୟକ ଭୂମିକା ନେଇଥିଲେ । ୪ ଓ୍ଵିକେଟ୍ ନେଇ ଦକ୍ଷିଣ ଆଫ୍ରିକାକୁ ସେ ହିଁ ୨୦୪ ରନରେ ଅଟକାଇ ଦେଇଥିଲେ । ତା’ ପରେ କୋହଲି ତାଙ୍କ ଯାଦୁ ଦେଖାଇଥିଲେ । ଚୌକା ମାରି ଶତକ ଏବଂ ଅର୍ଧଶତକ ପୂରଣ କରିବା ସହ ସେହି ଚୌକାରେ ସେ ବିଜୟ ସୂଚକ ରନ୍ ସଂଗ୍ରହ କରିଥିଲେ । ତାଙ୍କ ପାଇଁ ଭାରତ ୨୦୫ ରନର ବିଜୟ ଲକ୍ଷ୍ୟକୁ ୧୭.୫ ଓଭର ପୂର୍ବରୁ ହାସଲ କରି ନେଇଥିଲା । ସେପଟେ ଦକ୍ଷିଣ ଆଫ୍ରିକାର ଦୁର୍ଦ୍ଧଶା ପୂର୍ବବତ୍ ଜାରି ରହିଥିଲା । ଶେଷ ମୁକାବିଲା ଜିତି ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ଥିବା ଏହି ଦଳର ଆଶା ଆଶାରେ ରହି ଯାଇଥିଲା । ତିନିଟି ଶତକ ସହ କୌଣସି ଦ୍ୱିପାକ୍ଷିକ ଶୃଙ୍ଖଳାରେ ୫୦୦ରୁ ଅଧିକ ରନ୍ କରିବାରେ କୋହଲି ବି ପ୍ରଥମ ଖେଳାଳି ହୋଇଥିଲେ । ଭାରତ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୧୫ ଏବଂ ଶିଖର ଧାଓ୍ଵନ ୧୮ ରନ୍ କରିଥିଲେ । ଅଜିଙ୍କ୍ୟ ରାହାଣେ (୩୪ଞ୍ଚ)ଙ୍କ ସହ ମିଶି କୋହଲି ଅବିଭାଜିତ ତୃତୀୟ ଓ୍ଵିକେଟରେ ୧୨୬ ରନ୍ ଯୋଡ଼ିବା ସହ ୩୨.୧ ଓଭରରେ ଭାରତର ବିଜୟ ମୁଣ୍ଡି ମାରିଥିଲେ । ସମ୍ପୂର୍ଣ୍ଣ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିର୍ଧୁମ୍ ପ୍ରହାର କରି ୫୫୮ ରନ୍ କରିବା ସହ ଶେଷ ଦିନିକିଆରେ ଅପରାଜିତ ଶତକ ପାଇଁ ତାଙ୍କୁ ଶୃଙ୍ଖଳା ଏବଂ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା ।

ଏହା ପୂର୍ବରୁ ସାର୍ଦୁଲଙ୍କ ବୋଲିଂରେ ଘାଇଲା ହୋଇ ଦକ୍ଷିଣ ଆଫ୍ରିକା ୪୬.୫ ଓଭରରେ ସମସ୍ତ ଓ୍ଵିକେଟ୍ ବିନିମୟରେ ମାତ୍ର ୨୦୪ ରନ୍ କରି ପାରିଥିଲା । ଭାରତର ଅନ୍ୟତମ ଦ୍ରୁତ ବୋଲର ଯସପ୍ରୀତ ବୁମରା (୨/୨୪) ମଧ୍ୟ ଦୁଇଟି ଓ୍ଵିକେଟ୍ ଅକ୍ତିଆର କରିଥିଲେ । ସେହିଭଳି ସ୍ପିନର ୟୁଜବେନ୍ଦ୍ର ଚହଲ (୨/୩୮) ତାଙ୍କ ସ୍ପିନ୍ ଜାଲରେ ଘାଇଲା କରି ଦକ୍ଷିଣ ଆଫ୍ରିକାର ଦୁଇଟି ଓ୍ଵିକେଟ୍ କରାୟତ କରିଥିଲେ ।

ଦକ୍ଷିଣ ଆଫ୍ରିକା ତରଫରୁ କେବଳ ଖୟା ଜୋଣ୍ଡେ (୫୪) ଅର୍ଧଶତକ ଅର୍ଜନ କରିଥିଲେ । ବିପଜ୍ଜନକ ଏବି ଡିଭିଲିୟର୍ସ (୩୦)ଙ୍କ ସମେତ ଅନ୍ୟ କୌଣସି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ଚକ୍ରବ୍ୟୁହରୁ ମୁକୁଳି ପାରି ନଥିଲେ । ଅଧିନାୟକ ଏଦେନ ମର୍କରାମ ୨୪, ହାସିମ ଆମଲା ୧୦, ହେନରିକ୍ କ୍ଲାସେନ ୨୨ ଏବଂ ଆନ୍ଦିଲ ଫେଲୁଖୋଓ୍ଵା ୩୪ ରନ୍ କରିଥିଲେ । ସ୍ପିନର କୁଲଦୀପ ଯାଦବ(୧/୫୧) ଓ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା (୧/୩୯) ଗୋଟିଏ ଲେଖାଏଁ ଓ୍ଵିକେଟ୍ ପାଇଥିଲେ । ଭାରତ ଗତକାଲି ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦିନିକିଆ ସିରିଜରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିବା ଉପରେ ଭାରତର ନଜର ଏବେ ୧୮ ତାରିଖରୁ ଜୋହାନେସବର୍ଗରେ ଆରମ୍ଭ ହେଉଥିବା ତିନିଟିକିଆ ୨୦-୨୦ ଶୃଙ୍ଖଳା ଉପରେ ରହିବ ।