ଶିକ୍ଷକଙ୍କୁ ବୁଝାଇବାରେ ସରକାର ବିଫଳ ! ୧୯ରେ ପୁଣିଥରେ ମହାସମାବେଶ

24

କନକ ବ୍ୟୁରୋ: ଶିକ୍ଷକ ଆନ୍ଦୋଳନ ଭାଙ୍ଗିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଉଦ୍ୟମ ଗତକାଲି ବିଫଳ ହୋଇଛି । ଆସନ୍ତା ୧୯ ତାରିଖରେ ସ୍କୁଲ, କଲେଜ ଶିକ୍ଷକମାନେ ପୁଣିଥରେ ମହାସମାବେଶ କରିବା ଲାଗି ଘୋଷଣା କରିବାର ଦୁଇ ଘଣ୍ଟା ପରେ ସନ୍ଧ୍ୟାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା । ଏଥିରେ ବିଭାଗୀୟ ଶାସନ ସଚିବ, ଗଣଶିକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଏକ ପ୍ରତିନିଧିଦଳ ସହ ଆଲୋଚନା କରିଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ବୈଠକ ହୋଇଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ । ଶିକ୍ଷକଙ୍କୁ ବୁଝାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାରଙ୍କ ପ୍ରତିନିଧି ।ବୈଠକରେ ସରକାରୀ ଅଧିକାରୀମାନେ କହିଥିଲେ ଯେ ଯେଉଁ ଅନୁଦାନ ଆଇନ ଘୋଷଣା ହୋଇଛି ତାହା କେବଳ ବର୍ଦ୍ଧିତ ବ୍ଲକଗ୍ରାଣ୍ଟ । ପୂର୍ଣ୍ଣ ଅନୁଦାନ ଆଇନ ସମ୍ପର୍କରେ କୌଣସି ସୂଚନା ନାହିଁ । ମାର୍ଚ୍ଚ ୯ ପୂର୍ବରୁ ଶିକ୍ଷକଙ୍କ ସମସ୍ୟାର ସମାଧାନ କରିବା ସମ୍ଭବପର ନୁହେଁ । ବିଜେପୁର ଉପନିର୍ବାଚନ ପରେ ବିଜ୍ଞପ୍ତି ପ୍ରକାଶ କରାଯିବ । ତେଣୁ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେବାକୁ ମିଳିତ ମଞ୍ଚର ପ୍ରତିନିଧିମାନଙ୍କୁ ଅନୁରୋଧ କରାଯାଇଥିଲା । ଏଭଳି ଅଲିଖିତ ପ୍ରତିଶ୍ରୁତିକୁ ପ୍ରତ୍ୟାଖାନ କରି ମିଳିତ ମଞ୍ଚ କହିଛି ଯେ ସରକାର ପୂର୍ଣ୍ଣ ଅନୁଦାନ ଆଇନ ନ ଆଣିବା ପର୍ୟ୍ୟନ୍ତ ଆନ୍ଦୋଳନ ଚାଲିବ ।

ଗତ ୯ ତାରିଖରେ ରାଜ୍ୟ ସରକାରଙ୍କ ସହ ମିଳିତ ମଞ୍ଚ ପ୍ରଥମ ପର୍ଯ୍ୟାୟ ଆଲୋଚନା କରିଥିଲା । ଦାବି ପୂରଣ ତଥା ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୭ ଦିନ ସମୟ ନେଇଥିଲେ ମଧ୍ୟ ଗତକାଲି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଅବଧି ଗତକାଲି ଶେଷ ହୋଇଥିଲେ ମଧ୍ୟ ୭ଦଫା ଦାବି ମଧ୍ୟରୁ କୌଣସି ଗୋଟିଏ ହେଲେ ବି ସମାଧାନ ହୋଇ ନାହିଁ । ବରଂ ଶିକ୍ଷକଙ୍କ ଲାଗି ସତ୍ୟପାଠ ବାଧ୍ୟତାମୂଳକ ନୁହେଁ ବୋଲି ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛି ମିଳିତ ମଞ୍ଚ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଥିବା କୁହାଯାଇଥିଲେ ମଧ୍ୟ ସେଥିରେ କୌଣସି ମନ୍ତ୍ରୀ କିମ୍ବା ସଚିବଙ୍କ ଦସ୍ତଖତ ରହି ନ ଥିଲା । କୌଣସି ଅଧିକାରୀଙ୍କ ପ୍ୟାଡରେ ବି ତାହା ଉଲ୍ଲେଖ ନ ଥିଲା । ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଶିକ୍ଷକଙ୍କୁ ଭଣ୍ଡାଇବାକୁ ଏହା ଏକ ଚାଲ୍ ରହିଥିଲା ବୋଲି ମଞ୍ଚ କହିଛି ।

ଗତକାଲି ଅପରାହ୍ନରେ ଲୋୟର ପିଏମଜିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଫେବ୍ରୁଆରି ୧୯ରେ ହେବାକୁ ଥିବା ମହାସମାବେଶରେ ୬୦ ହଜାରରୁ ଅଧିକ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ଏକାଠି ହେବେ। ଏଥିରେ ବୁଦ୍ଧିଜୀବୀ, କର୍ମଚାରୀ ସଙ୍ଗଠନ, ଛାତ୍ର ସଙ୍ଗଠନ, ଅନ୍ୟ ସମସ୍ତ ଶିକ୍ଷକ ସଙ୍ଗଠନ, ଶ୍ରମିକ ସଙ୍ଗଠନ, ଗଣମାଧ୍ୟମ ଓ ଗଣ ସଙ୍ଗଠନର ପ୍ରତିନିଧି ଯୋଗଦେବେ। ଯଦି ଚାକିରି ସର୍ତ୍ତାବଳୀ ସହ ସବୁ ସ୍କୁଲ କଲେଜକୁ ଶତ ପ୍ରତିଶତ ଅନୁଦାନ ଘୋଷଣା କରା ନ ଯାଏ, ସତ୍ୟପାଠର ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର ନ କରନ୍ତି, ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ କରା ନ ଯାଏ, ସମସ୍ତ ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜରେ କାର୍ଯ୍ୟରତ ଶିକ୍ଷକ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ଅନୁଯାୟୀ ଦରମା ନ ଦିଅନ୍ତି ତେବେ ମାଟ୍ରିକ୍ ପରୀକ୍ଷା ବର୍ଜନ କରାଯିବ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଥିଲେ ।

ଅନ୍ୟପକ୍ଷରେ ଶିକ୍ଷକଙ୍କ ଆନ୍ଦୋଳନକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ଆଗକୁ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାରୁ ଏବେ ତାହାକୁ ନେଇ ସମସ୍ୟା ଉପୁଜିଛି । ଚିନ୍ତାରେ ପଡ଼ିଛନ୍ତି ଗଣଶିକ୍ଷା ବିଭାଗର ଅଧିକାରୀ । କିଭଳି ଭାବେ ପରୀକ୍ଷା ପରିଚାଳନା କରିବେ ତାହାକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି ସମସ୍ତେ ।