ମୁଣ୍ଡ ଗୁଂଜିବାକୁ ନାହିଁ ଘର । ୪ ଫୁଟିଆ ପାଇଖାନା ଭିତରେ ବିତୁଛି ଭାଇ-ଭଉଣୀ ଙ୍କ ଜୀବନ । ସରକାରୀ ସହାୟତା କହିଲେ ୩୫ କିଲୋ ଚାଉଳ

52

କନକ ବ୍ୟୁରୋ: ପାଇଖାନା ଭିତରେ ବିତୁଛି ଜୀବନ । ୪ ଫୁଟିଆ ପାଇଖାନା ଘରେ ରହୁଛନ୍ତି ଭାଇ-ଭଉଣୀ । ବାପା ମାଆ ଡକାକଡି ହୋଇ ଆରପାରିକୁ ଚାଲିଯିବା ପରେ ପାଇଖାନା ଘର ପାଲଟିଛି ଭାଇ-ଭଉଣୀଙ୍କ ଆଶ୍ରୟସ୍ଥଳି । ମାନସିକ ଭାରସ୍ୟାମ ହରାଇଥିବା ଭାଇ ମୁହଁରେ ଆହାର ଦେବା ପାଇଁ ବାର ଦୁଆର ବୁଲୁଛି ଭଉଣୀ ।

ଏମିତି ଜୀବନ ଜିଉଁଛନ୍ତି ଭାଇ-ଭଉଣୀ । ପୁରୀ ସତ୍ୟବାଦୀ ବ୍ଲକ ଅଲଣ୍ଡାପଡା ରଇତି ସାହିର୨୨ ବର୍ଷିୟ କଳ୍ପନା ପ୍ରଧାନ ଓ ମାନସିକ ଭାରସ୍ୟାମ ହରାଇ ବସିଥିବା ୧୯ ବର୍ଷୀୟ ରଂଜନ ପ୍ରଧାନଙ୍କ ଜୀବନ କାହାଣୀ ଅତି କରୁଣ । ବାପା ଫକୁ ପ୍ରଧାନ -ମାଆ ବାବିମଣି ଆରପାରିକୁ ଚାଲିଯିବା ପରେ ପାଇଖାନା ଭିତରେ ବିତୁଛି ଭାଇ-ଭଉଣୀଙ୍କ ଜୀବନ । ମୁଣ୍ଡ ଗୁଜିବାକୁ ଘରଟିଏ ନଥିବାରୁ ସ୍ୱଚ୍ଛ ଭାରତ ଯୋଜନାରେ ମିଳିଥିବ ଏହି ପାଇଖାନା ପାଲଟିଛି ସାହା ।

 

ଏହି ଛୋଟିଆ ଘରେ ନିତ୍ୟ ବ୍ୟବହାଯ୍ୟ ସାମଗ୍ରୀ   ରଖିବା ସହ ଜଗନ୍ନାଥଙ୍କ ଫଟୋ ରଖି ପୂଜା କରୁଛନ୍ତି ଏମାନେ । କୁହାଯାଏ ଭଉଣୀର ସାହସ ଭାଇ, ହେଲେ ଏଠାରେ କିନ୍ତୁ ସଂପୂର୍ଣ୍ଣ ଓଲଟା । ଭଉଣୀ କଳ୍ପନା ପାଲଟିଛନ୍ତି ଭାଇ ରଂଜନଙ୍କ ସାହା ଭରସା । ମାନସିକ ବିକାରଗ୍ରସ୍ତ ରଂଜନଙ୍କ ମୁହଁରେ ଆହାର ଗଣ୍ଡାଏ ଦେବା ପାଇଁ ବାର ଦୁଆର ବୁଲୁଛନ୍ତି କଳ୍ପନା । ସେପଟେ କଳ୍ପନା ଓ ତାଙ୍କ ଭାଇଙ୍କୁ ସହାୟତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ସ୍ଥାନୀୟ ସରପଂଚ ।

ସରକାରୀ ଯୋଜନାରେ କେବଳ ଅର୍ଣ୍ଣପୂଣ୍ଣା ଯୋଜନରେ ୩୫ କିଲୋ ଚାଉଳ ମିଳୁଥିବା ବେଳେ ଭାଇର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ତଥାପି ଭଗବାନଙ୍କ ଭରସାରେ ପାଇଖାନା ଭିତରେ ପଡି ରହିଛନ୍ତି କଳ୍ପନା ଓ ରଂଜନ ।