୧୪ ବିଧାୟକଙ୍କ ଟିକେଟ କାଟିଲେ ନବୀନ । ଜାଣନ୍ତୁ ବଦଳରେ କାହାକୁ ନିର୍ବାଚନ ଲଢିବାକୁ ସୁଯୋଗ ଦେଲେ ବିଜେଡି ସୁପ୍ରିମୋ

1,003

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ୯ ଲୋକସଭା ଆସନ ମଧ୍ୟରୁ ୮ଟି ଓ ୫୪ ବିଧାନସଭା ଆସନ ମଧ୍ୟରୁ ୨୭ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ଖାସକରି ଦଳ ଚଳିତ ନିର୍ବାଚନରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି । ନୂଆ ମୁହଁ ସହ ମହିଳାଙ୍କୁ ମଧ୍ୟ ଗୁରୁତ୍ୱ ଦେଇଛ ି ଦଳ । ନବୀନଙ୍କ ଏହି ଷ୍ଟ୍ରାଟେଜି ପାଇଁ ବର୍ତ୍ତମାନ ବିଧାୟକ ଥିବା ୧୪ ଜଣଙ୍କର ଟିକେଟ କଟିଛି । ଦଳୀୟ ସର୍ଭେ ରିପୋର୍ଟ ଆଧାରରେ ଟିକେଟ ଦିଆଯାଇଥିବା ବେଳେ ୧୪ ବିଧାୟକ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେବେ କେଉଁ ବିଧାୟକ ମାନେ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି ତାହା ଉପରେ ନଜର ପକାନ୍ତୁ । (ଲୋକସଭା ଆସନ ଅନୁଯାୟୀ)

କଳାହାଣ୍ଡି
ଭବାନୀପାଟଣା : ଭବାନୀପାଟଣା ବିଧାନସଭା ଆସନରୁ ୨୦୧୯ରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଦୁଷ୍ମନ୍ତ ନାୟକ । କଂଗ୍ରେସ ଶିବିରରୁ ବିଜେଡି ଶିବରକୁ ଏଣ୍ଟ୍ରି ମାରିଥିବା ଏହି ପୂର୍ବତନ ବିଧାୟକ ବିଜେଡି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବେ । ତେବେ ୨୦୧୪ରେ ଏଠାରୁ ବିଜେଡି ଟିକେଟରୁ ବିଧାୟକ ହୋଇଥିବା ଅନାମ ନାୟକଙ୍କୁ ନିରାଶ ହେବାକୁ ପଡିବ । ୨୦୧୪ ନିର୍ବାଚନରେ ମୁହାଁମୁହିଁ ହୋଇଥିଲେ ଦୁଷ୍ମନ୍ତ ଓ ଅନାମ । ଯେଉଁଥିରେ ବାଜି ମାରିଥିଲେ ଅନାମ ।

ନର୍ଲା : ଏହି ଆସନରୁ ବିଜେଡି ଟିକେଟରେ ୨୦୧୯ ନିର୍ବାଚନ ଲଢିବେ ପୂର୍ବତନ ରାଜ୍ୟସଭା ସାଂସଦ ଭୂପିନ୍ଦର ସିଂ । ୨୦୧୪ରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ମଧ୍ୟ ଭୁପିନ୍ଦର ସିଂ ନିର୍ବାଚନ ଲଢିବାକୁ ସୁଯୋଗ ପାଇନଥିଲେ । ତାଙ୍କୁ ରାଜ୍ୟସଭା ପଠାଯାଇଥିବା ବେଳେ ସେଠାରେ ଧନେଶ୍ୱର ମାଝୀଙ୍କୁ ବିଜେଡି ପ୍ରାର୍ଥୀ କରି ବିଜୟ ହାସଲ କରିଥିଲା । କିନ୍ତୁ ୨୦୧୯ରେ ଧନେଶ୍ୱରଙ୍କ ବଦଳରେ ପୁଣିଥରେ ନର୍ଲାରୁ ଭୁପିନ୍ଦର ସିଂଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବ ଦଳ ।

ନବରଙ୍ଗପୁର
ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ଆସନରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ବର୍ତ୍ତମାନ ବିଧାୟକ ଥିବା ଡମ୍ବରୁ ସିସାଙ୍କ ବଦଳରେ ଏଠାରେ ଦଳ ପୂର୍ଣ୍ଣଚନ୍ଦ୍ର ସାକାଙ୍କୁ ପ୍ରାର୍ଥୀ କରିଛି ଦଳ । ଆଉ ଏହାସହ ଡମ୍ବରୁ ଟିକେଟ ପାଇବାରୁ ନିରାଶ ହୋଇଛନ୍ତି ।

ବ୍ରହ୍ମପୁର
ଛତ୍ରପୁର : ଛତ୍ରପୁର ବିଧାୟକ ପ୍ରିୟାଂସୁ ପ୍ରଧାନଙ୍କ ଟିକେଟ କାଟିଛନ୍ତି ବିଜେଡି ସୁପ୍ରିମୋ । ପ୍ରିୟାଂସୁଙ୍କ ବଦଳରେ ସୁବାଷ ଚନ୍ଦ୍ର ବେହେରାଙ୍କୁ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଘୋଷଣା କରିଛି ।

ବ୍ରହ୍ମପୁର : ବ୍ରହ୍ମପୁର ଆସନରୁ ବିଧାୟକ ଥିବା ବିଜେଡିର ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ବଦଳରେ ନୂଆ କରି କଂଗ୍ରେସରୁ ବିଜେଡିକୁ ଆସିଥିବା ବିକ୍ରମ ପଣ୍ଡାଙ୍କୁ ଦଳ ଯୁଦ୍ଧ ମୈଦାନକୁ ଓହ୍ଲାଇବାକୁ ଘୋଷଣା କରିଛି । ରମେଶଙ୍କ ବୟାସାଧିକ କାରଣରୁ ତାଙ୍କର ଟିକେଟ କଟିଥିବା ବେଳେ ଯୁବ ବିକ୍ରମଙ୍କ ଉପରେ ଦଳ ଭରସା କରିଛି ।

ମୋହନା : ସେହିଭଳି ମୋହନାରୁ ବିଜେଡି ଟିକେଟରେ ବିଧାୟିକା ହୋଇଥିବା ବାସନ୍ତୀ ମଲ୍ଲିକଙ୍କୁ ଦଳ ପୁଣିଥରେ ଟିକେଟ ଦେବା ବଦଳରେ ପୂର୍ଣ୍ଣବାସୀ ନାୟକଙ୍କୁ ସୁଯୋଗ ଦେଇଛି ।

କୋରାପୁଟ
ଗୁଣୁପୁର : ୨୦୧୪ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିବା ତ୍ରିନାଥ ଗମାଙ୍ଗ ଦଳରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ବଦଳରେ ରଘୁରାମ ଗମାଙ୍ଗକୁ ଟିକେଟ ଦେଇ ମୈଦାନକୁ ଓହ୍ଲାଇଛି ଦଳ ।

ଆସ୍କା
ଆସ୍କା : ଏହି ଆସନ ପାଇଁ ମହିଳା କାର୍ଡ ଖେଳିଛି ବିଜେଡି । ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିବା ଦେବରାଜ ମହାନ୍ତିଙ୍କ ବଦଳରେ ଦଳ ଏଠାରେ ମଞ୍ଜୁଳା ସ୍ୱାଇଁଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି ।

କବି ସୂଯ୍ୟନଗର : ଗତଥର ଏହି ଆସନରୁ ଅଳ୍ପକେ ଟିକେଟରୁ ବଞ୍ଚିତ ହୋଇଥିବା ଲତିକା ପ୍ରଧାନଙ୍କୁ ଦଳ ଏଥର ସୁଯୋଗ ଦେଇଛି । ଲତିକାଙ୍କୁ ଟିକେଟ ଦେଇ ଦଳ ଏଠାରେ ବରିଷ୍ଠ ନେତ୍ର୍ରୀ ତଥା ବିଧାୟିକା ଥିବା ଭି ସୁଜ୍ଞାନୀ କୁମାରୀ ଦେଓଙ୍କ ଟିକେଟ କାଟିଛି । ବୟାସାଧିକ କାରଣରୁ ସୁଜ୍ଞାନୀ କୁମାରୀ ଦେଓଙ୍କ ଟିକେଟ କଟିଥିବା ଚର୍ଚ୍ଚା ହେଉଛି ।

ଖଲ୍ଲିକୋଟ : ଖଲ୍ଲିକୋଟ ଆସନ ପାଇଁ ଦଳ ଏବେ ବିଧାୟକ ଥିବା ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ବଦଳରେ କେ କେ ସୂର୍ଯ୍ୟମଣି ବୈଦ୍ୟଙ୍କୁ ଟିକେଟ ଦେବାକୁ ନିଷ୍ପତି ନେଇଛି ।

କନ୍ଧମାଳ
ବାଲିଗୁଡା : ଏହି ଆସନରୁ ବିଜେଡି ବିଧାୟକ ଥିବା ରାଜୀବ ପାତ୍ରଙ୍କ ଟିକେଟ କାଟିଛି ଦଳ । ୨୦୧୯ରେ ପୁଣିଥରେ ଏହି ଆସନରେ ବିଜୟ ହାସଲ କରିବା ପାଇଁ ଦଳ ଚକ୍ରଧର କହଁରଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।

ଦଶପଲ୍ଲା : ୨୦୧୪ରେ ବିଜେଡି ଟିକେଟରେ ଲଢି ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ନାଏକ ପୁଣିଥରେ ଏହି ଆସନରୁ ପ୍ରାର୍ଥୀ ହେବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ଦଳ ଏଠାରେ ରମେଶ ବେହେରାଙ୍କୁ ମୈଦାନକୁ ଓହ୍ଲାଇବାକୁ ଘୋଷଣା କରିଛି ।

ବରଗଡ
ବିଜେପୁର : ଚଳିତ ଥର ବିଜେପୁର ଆସନକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି । କାରଣ ଏହି ଆସନରୁ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ନିଜେ ନବୀନ । ପୂର୍ବରୁ ଏହି ଆସନ କଂଗ୍ରେସ ହାତରେ ଥିବା ବେଳେ ସୁବଳ ସାହୁ ଏଠାରୁ ଲଗାତାର ବିଜୟ ହୋଇ ଆସୁଥିଲେ ।ତେବେ ସୁବଳ ସାହୁଙ୍କ ଦେହାନ୍ତ ପରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରି ବିଜେଡି ଉଡାଇଥିଲା ବିଜୟ ବାନା । ତେବେ ୨୦୧୯ରେ ନବୀନଙ୍କ ଫୋକସରେ ପଶ୍ଚିମ ଓଡିଶା ରହିଥିବାରୁ ଏବେ ବିଧାୟିକା ଥିବା ରୀତା ସାହୁଙ୍କ ବଦଳରେ ନବୀନ ନିଜେ ଏଠାରୁ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି ।

ବଲାଙ୍ଗୀର
କଣ୍ଟାବାଞ୍ଝି : ୨୦୧୯ରେ କଣ୍ଟାବାଞ୍ଝିରୁ ଲଢିବେ ଅଜୟ ଦାସ । ତେବେ ଏହି ଆସନରୁ ବିଜେଡି ବିଧାୟକ ଥିବା ଆୟୁବ ଖାନ ଟିକେଟ ରେସରୁ ବାଦ ପଡିଛନ୍ତି । ପୂର୍ବରୁ ଏକ ସଭାରେ ବୃଦ୍ଧାଙ୍କୁ ଗାଳି କରି ବିବାଦୀୟ ହୋଇ ପଡିଥିବା ଆୟୁବଙ୍କୁ ଚଳିତ ଥର ଟିକେଟ ନ ଦେଇ ନୂଆ ମୁହଁଙ୍କୁ ସାମ୍ନାକୁ ଆଣିଛନ୍ତି । ୧୪ ବିଧାୟକଙ୍କ ଟିକେଟ କାଟି ନୂଆ ମୁହଁଙ୍କୁ ବିଜେଡି ଟିକେଟ ଦେଇଥିବା ବେଳେ ଏହି ରଣନୀତି କେତେ ସଫଳ ହେଉଛି ତାହା ଉପରେ ସମସ୍ତଙ୍କର ନଜର ରହିବ ।