କନକ ବ୍ୟୁରୋ : ନେତା ଆସିଲେ ଟିକେଟ୍ ନେଲେ । ବିଜେଡିର ୨୦୧୯ ନିର୍ବାଚନ ପ୍ରାର୍ଥୀ ତାଲିକାରେ ଅନେକ ନୂଆ ମୁହଁକୁ ଦେଖିବାକୁ ମିଳିଛି । ବିଶେଷ କରି ଯେଉଁମାନେ ନିଜ ଦଳ ଛାଡି ଶଙ୍ଖ ଧରିଥିଲେ, ସେମାନଙ୍କୁ ବିଜୁ ଜନତା ଦଳ ଟିକେଟ୍ ଦେଇଛି । ଏଥି ସହ ବିଜେଡି ଏକ ବାର୍ତା ଦେଇଛି ଯେ, ବିଜୁ ଜନତା ଦଳକୁ ଆସୁଥିବା ଅନ୍ୟ ଦଳର ନେତାଙ୍କୁ ଦଳ ପ୍ରାଧାନ୍ୟ ଦିଏ । ଏହି ରିପୋର୍ଟରେ ଦେଖନ୍ତୁ କିଏ କିଏ ନୂଆ ନେତା ପାଇଛନ୍ତି ବିଜେଡି ଟିକେଟ୍ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୁନୀତା ବିଶ୍ୱାଳ, ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳଙ୍କୁ ମିଳିଛି ସୁନ୍ଦରଗଡ ସାଂସଦ ଟିକେଟ୍ । ସୁନ୍ଦରଗଡ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିବା ସୁନୀତା, କିଛି ଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ । ସୁନୀତାଙ୍କୁ ଟିକେଟ୍ ଦେଇ ଏକାସଙ୍ଗେ ଆଦିବାସୀ ଏବଂ ମହିଳା କାର୍ଡ ଖେଳିଛନ୍ତି ନବୀନ ।
ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ
ପୂର୍ବତନ ମନ୍ତ୍ରୀ ତଥା ଦକ୍ଷିଣ ଓଡିଶାର ଟାଣୁଆ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଦେଇଛି ବ୍ରହ୍ମପୁର ଲୋକସଭା ଟିକେଟ୍ । ଗତ ଦୁଇ ସାଧାରଣ ନିର୍ବାଚନରେ ଚନ୍ଦ୍ରଶେଖର, ସିଦ୍ଧାନ୍ତ ମହାପାତ୍ରଙ୍କ ଠାରୁ ହାରିବା ପରେ ବିଜେଡିରେ ସାମିଲ ହୋଇଥିଲେ ।
ବିକ୍ରମ ପଣ୍ଡା, ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ
ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଠାରୁ ତିନି ଥର ହେଲା ଅଳ୍ପ ବ୍ୟବଧାନରେ ହାରିବା ପରେ, ବ୍ରହ୍ମପୁରର ଯୁବ କଂଗ୍ରେସ ନେତା ବିକ୍ରମ ପଣ୍ଡା ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ । ଏବେ ବିକ୍ରମଙ୍କୁ ବିଜେଡି ଦେଇଛି ବ୍ରହ୍ମପୁର ବିଧାନସଭା ଟିକେଟ୍ ।
ନବ ଦାସ, ଝାରସୁଗୁଡା ବିଧାୟକ ପ୍ରାର୍ଥୀ
ଝାରସୁଗୁଡା ବିଧାୟକ ତଥା କଂଗ୍ରେସର ହେଭିୱେଟ୍ ନେତା ନବ ଦାସ, ପ୍ରାୟ ଦୁଇ ମାସ ତଳେ ସାମିଲ ହୋଇଥିଲେ ବିଜେଡିରେ । ଏବେ ୨୦୧୯ ନିର୍ବାଚନରେ ନବ ଦାସ ଝାରସୁଗୁଡାରୁ ବିଜେଡି ଟିକେଟରେ ଲଢିବେ ।
ଦୁଷ୍ମନ୍ତ ନାୟକ, ଭବାନୀପାଟଣା ବିଧାୟକ ପ୍ରାର୍ଥୀ
କଳାହାଣ୍ଡି ଭବାନୀପାଟଣାର କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାଏକ ଗତ ଜୁଲାଇରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଦଳ ତାଙ୍କ ନେତୃତ୍ୱ ଏବଂ ସଂଗଠନ ଉପରେ ବିଶ୍ୱାସ ରଖି, ଭବାନୀପାଟଣା ବିଧାନସଭା ଟିକେଟ୍ ଦେଇଛି ।
ଯୋଗେଶ ସିଂହ, ସୁନ୍ଦରଗଡ ବିଧାନସଭା ପ୍ରାର୍ଥୀ
ସୁନ୍ଦରଗଡ ବିଧାୟକ ତଥା କଂଗ୍ରେସର ଟାଣୁଆ ନେତା ଯୋଗେଶ ସିଂହ ବିଜେଡିରେ ମିଶିଥିଲେ । ୨୦୧୪ର ବିଜେଡି ପ୍ରାର୍ଥୀ କୁସୁମ ଟେଟେଙ୍କ ବିରୋଧ ସତ୍ୱେ ଯୋଗେଶ ସିଂହଙ୍କୁ ବିଜେଡି, ଦଳକୁ ଆପଣେଇ ନେଇଥିଲା । ଏବେ ତାଙ୍କୁ ଦଳ ଦେଇଛି ସୁନ୍ଦରଗଡ ବିଧାନସଭା ଟିକେଟ୍ ।