ଦ୍ୱିତୀୟ ପର୍ଯ୍ୟାୟରେ ନବୀନ ଦେବେ ଦୁଇଟି ପରୀକ୍ଷା । ଦକ୍ଷିଣରୁ ହିଞ୍ଜିଳି ଓ ପଶ୍ଚିମରୁ ବିଜେପୁରରେ ସୁପ୍ରିମୋଙ୍କ ଡବଲ ଫାଇଟ୍ ।

120

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାରୁ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବେ ନବୀନ । ନିଜ ପାରମ୍ପାରିକ ହିଞ୍ଜିଳି ବିଧାନସଭା କ୍ଷେତ୍ର ସହ ବିଜେପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ି ଗୋଟିଏ ଦିନରେ ଦେବେ ଦୁଇ ଦୁଇଟି ପରୀକ୍ଷା । ଏକଥା ଆମେ ଏଥିପାଇଁ କହୁଛୁ ଯେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ଏପ୍ରିଲ୍ ୧୮ ତାରିଖରେ ହେବାକୁଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଏକସଙ୍ଗେ ଦୁଇଟି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ନବୀନଙ୍କ ଏହି ଗୋଟିଏ ପଦ କଥା ରାଜ୍ୟରାଜନୀତିରେ ହଟଚମଟ ସୃଷ୍ଟି କରିଛି । କାରଣ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶା ମାଟିରୁ ନିର୍ବାଚନ ଲଢ଼ିବାକୁ ରଣହୁଙ୍କାର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବିଗତ ଦୁଇ ଦଶନ୍ଧି ଧରି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ୪ଥର ନିର୍ବାଚନ ଲଢ଼ି ବିଜୟଧାରା ବଜାୟ ରଖିଛନ୍ତି ନବୀନ । କିନ୍ତୁ ବଦଳୁଥିବା ରାଜ୍ୟ ରାଜନୀତି ପାଣିପାଗ ସହ ନବୀନଙ୍କ ପଶ୍ଚିମ ଓଡ଼ିଶା ବାଜି ଭିନ୍ନ ରୂପ ନେଇଛି । ନିଜ ପାରମ୍ପାରିକ ଆସନ ହିଞ୍ଜିଳି ସହ ପଶ୍ଚିମ ଓଡ଼ିଶାର ବରଗଡ଼ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ବିଜେପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବା ପାଇଁ ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ତେବେ ନବୀନଙ୍କ ଏହି ଡବଲ୍ ଫାଇଟକୁ ନେଇ ବିରୋଧୀ ଶିବିରରେ ଛନକା ପଶିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଯଦି ବିଗତ ଦୁଇଟି ନିର୍ବାଚନକୁ ଅନୁଧ୍ୟାନ କରାଯାଏ ତେବେ, ୨୦୧୪ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ମୋଟ୍ ୩୦ଟି ବିଧାନସଭା ଆସନରୁ ବିଜେଡି ହାତକୁ ୧୭ଟି ଆସିଥିବା ବେଳେ ବିଜେପିକୁ ୭ଟି, କଂଗ୍ରେସକୁ ୪ଟି ଏବଂ ଅନ୍ୟାନ୍ୟ ୨ଟି ଆସନରେ ଜିତିଥିଲେ । ସେହିଭଳି ୨୦୦୯ ସାଧାରଣ ନିର୍ବାଚନରେ ୩୦ଟି ବିଧାନସଭା ଆସନରୁ ବିଜେଡି ଦଖଲକୁ ୧୨ଟି ଆସନ ଆସିଥିବାବେଳେ ବିଜେପିକୁ ୭ଟି, କଂଗ୍ରେସ ଖାତାକୁ ୧୩ଟି ଓ ଅନ୍ୟାନ୍ୟ ପ୍ରାର୍ଥୀ ଗୋଟିଏ ଆସନରେ ବାଜିମାତ କରିଥିଲେ । ତେବେ ଗତ ୨୦୧୪ ନିର୍ବାଚନ ଠାରୁ ଚଳିତ ଥର ଅଧିକ ଆସନ ହାତେଇ କ୍ଲିନ୍ ସୁଇପ୍ କରିବାକୁ ପଶ୍ଚିମ ଓଡ଼ିଶା ନିର୍ବାଚନୀ ମୈଦାନକୁ ନବୀନ ଓହ୍ଲାଇବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।