ଫସଲ ଉଜାଡ଼ିଲା କାଣ୍ଡବିନ୍ଧା ପୋକ । କାକଟକପୁର ବ୍ଲକ କାଦୁଆ, କୁରୁଜଙ୍ଗ ଓ ଜଳେଶ୍ୱରପଡ଼ା ପଂଚାୟତରେ ବ୍ୟାପକ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

57

କନକ ବ୍ୟୁରୋ : ଫସଲ ଉଜାଡ଼ିଲା କାଣ୍ଡବିନ୍ଧା ପୋକ । ପୁରୀ ଜିଲ୍ଲା କାକଟପୁର ବ୍ଲକର କାଦୁଆ, କୁରୁଜଙ୍ଗ ଓ ଜଳେଶ୍ୱରପଡ଼ା ପଂଚାୟତରେ ଶହ ଶହ ହେକ୍ଟର ଜମିରେ ହୋଇଥିବା ଧାନ ଫସଲ ନଷ୍ଟ ହେବାକୁ ବସିଲାଣି । ବିଶେଷକରି ଧାନ ପିଲ ଓ ଥୋର ସମୟରେ କାଣ୍ଡବିନ୍ଧା ପୋକ ଲାଗିବାରୁ ଗଛ ଗୁଡ଼ିକ ମରିଯାଉଛି । ଧାନ ମଧ୍ୟ ଅଗାଡ଼ି ହୋଇଯାଉଛି । ପ୍ରଥମେ ଗୋଟିଏ ଗୋଟିଏ ଗଛରେ ଲାଗିବା ପରେ ସାରା ବିଲକୁ ବ୍ୟାପିଯାଉଛି ଏହି ପୋକ । ଫଳରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଏହି ଅଂଚଳର ଚାଷୀ ।

କାକଟପୁର ବ୍ଲକର ପାଲବସ୍ତ, କୁରୁଜଙ୍ଗ, ଧନୟତ୍ରୀ ଓ ଚିତରେଶ୍ୱରୀ ଅଂଚଳ ଚାଷୀ ଏହି ପୋକ ଯୋଗୁଁ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ଅଂଚଳରେ ଚାଷୀଙ୍କ ଜମି ଖାଲୁଆ ହୋଇଥିବାରୁ ବର୍ଷା ଦିନେ ଖରିଫ ଚାଷ କରିପାରନ୍ତି ନାହିଁ ଚାଷୀ । କେବଳ ରବି ରୁତୁରେ ଚାଷୀ ମାନେ ଖରାଦିନିଆ ଫସଲ କରନ୍ତି । ତେଣୁ ଚାଷୀ ମାନେ ଧାର କରଜ କରି ଧାନ ଚାଷ କରିଥିଲେ । ଫସଲ ମଧ୍ୟ ଭଲ ହୋଇଥିଲା । ହେଲେ ଧାନ ଫଳ ଧରିବା ବେଳକୁ କାଣ୍ଡବିନ୍ଧା ପୋକ ଯୋଗୁଁ ବ୍ୟାପକ କ୍ଷତି ହୋଇଛନ୍ତି ।

ରୋଗ ପୋକର ନିରାକରଣ ପାଇଁ ଚାଷୀଙ୍କୁ କୃଷି ବିଭାଗର ସହଯୋଗ ମିଳୁନଥିବା ଅଭିଯୋଗ ହୋଇଛି । ଚାଷୀ ମାନେ କୃଷି ବିଭାଗର ପରାମର୍ଶ ପାଇଁ ଅନେକ ଥର ଦୌଡ଼ି ନିରାଶ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି ।