ନୀଳଗିରିରେ ଦିନ ଦ୍ୱିପ୍ରହରରେ ସୋନ ନଦୀ ପଠାରୁ ବାଲି ଉଠାଉଛନ୍ତି ମାଫିଆ । ଅଭିଯୋଗ ପରେ ବି ଚୁପ୍ ବସିଛି ପ୍ରସଶାନ, ପାଳି କରି ଘାଟ ଜଗୁଛନ୍ତି ଗ୍ରାମବାସୀ

141

କନକ ବ୍ୟୁରୋ : ନୀଳଗିରି ତହସିଲ ଅନ୍ତର୍ଗତ ମଙ୍ଗଳାପାଳ ଓ କାଠପାଳ ଅଂଚଳରେ ସକ୍ରିୟ ହୋଇଛନ୍ତି ବାଲି ମାଫିଆ । ସୋନ ନଦୀ ଓ ଏହାର ଅବବାହିକାରେ ଥିବା ଗୋଚର ଜମିରୁ ଦିନ ଦ୍ୱିପ୍ରହରରେ ହେଉଛି ବାଲି ଚୋରା ଚାଲାଣ । ବେଆଇନ ଭାବେ ଶହ ଶହ ଟ୍ରିପ୍ ବାଲି ଚାଲଣ କରିବାରେ ସଫଳ ହେଉଛନ୍ତି ମାଫିଆ । ପ୍ରତିବାଦ କଲେ ଲୋକଙ୍କୁ ଜୀବନରୁ ମାରିଦେବାକୁ ମିଳୁଛି ଧମକ । ହେଲେ ଏସବୁ ଦେଖି ଚୁପ୍ ବସିଛି ପ୍ରଶାସନ । ପ୍ରଶାସନ ନିରବଦ୍ରଷ୍ଟା ପାଲଟିଥିବା ବେଳେ ଗୋଚର ଜମିକୁ ବଂଚାଇବା ପାଇଁ ଅଂଟା ଭିଡ଼ିଛନ୍ତି ଗ୍ରାମବାସୀ । ଦୈନିକ ସକାଳୁ ପାଳିକରି ଘାଟ ଜଗୁଛନ୍ତି ଲୋକେ ।

ନଦୀ ନିକଟରେ ଥିବା ଗୋଚର ଜମିରୁ ମାଫିଆ ମାନେ ବାଲି ଚୋରି କରି ନେବା ଫଳରେ ୫୦ ଫୁଟ୍ର ବିରାଟ ଗର୍ତ ସୃଷ୍ଟି ହୋଇଛି । ଅନେକ ସମୟରେ ମାଟି ଅତଡ଼ା ଖସିବାରୁ ଜୀବଜନ୍ତୁ ଓ ଅଂଚଳବାସୀ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଏପରିକି ବର୍ଷା ଦିନେ ନଦୀ ପାଣି ଗାଁକୁ ପଶିବାର ବିପଦ ରହିଛି । ମାଫିଆ ମାନେ ବାଲି ଚୋରି କରି ଗାଁ ମଧ୍ୟ ଦେଇ ଗାଡ଼ି ଦ୍ରୁତ ଗତିରେ ଚଳାଇବାରୁ ଛୋଟ ଶିଶୁ ଓ ସ୍କୁଲ ପିଲା ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ।

ମାଫିଆଙ୍କ କବଳରୁ ଗାଁକୁ ରକ୍ଷା କରିବା ପାଇଁ ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ତେଣୁ ଆଗାମି ଦିନରେ ଲୋକଙ୍କ ସମସ୍ୟାର ସମାଧାନ ହେଲେ ଗ୍ରାମବାସୀ ଭୋଟ୍ ବର୍ଜନ କରିବେ ବୋଲି କହିଛନ୍ତି ।