ବଢ଼ି ଚାଲିଛି ‘କ୍ରିକେଟ’ର କ୍ରେଜ ! ପୂରା ବିଶ୍ୱରେ ୧୦୦ କୋଟିରେ ପହଞ୍ଚିଲା କ୍ରିକେଟ ପ୍ରଶଂସକଙ୍କ ସଂଖ୍ୟା, ଅଲିମ୍ପିକ୍ସରେ ସାମିଲ କରିବାକୁ କ୍ରିକେଟପ୍ରେମୀଙ୍କ ଡିମାଣ୍ଡ

45

ପୂରା ବିଶ୍ୱରେ କ୍ରିକେଟକୁ ଭଲପାଉଥିବା ଅନେକ ପ୍ରଶଂସକ ରହିଛନ୍ତି । ଖାସକରି ଭାରତୀୟ ଉପମହାଦେଶରେ କ୍ରିକେଟର କ୍ରେଜ ଅଧିକ ଦେଖିବାକୁ ମିଳିଥାଏ । ତେବେ ଏହି ଲୋକପ୍ରିୟ ଖେଳ ମାତ୍ର କେତୋଟି ଦେଶରେ ସୀମିତ ହୋଇ ରହିଛି । ତେଣୁ କ୍ରିକେଟକୁ ଅଧିକ ଲୋକପ୍ରିୟ କରିବାକୁ ଅଲିିମ୍ପିକରେ ସାମିଲ କରିବାକୁ ପ୍ରଶଂସକ ମାନେ କହିଛନ୍ତି । ଆଇସିସି ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚ ମୁତାବିକ ପୂରା ବିଶ୍ୱରେ କ୍ରିକେଟକୁ ଭଲପାଉଥିବା ପ୍ରଶଂସକଙ୍କ ସଂଖ୍ୟା ୧୦୦ କୋଟିରୁ ଅଧିକ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ୧୦୦ କୋଟି ପ୍ରଂଶସକଙ୍କ ମଧ୍ୟରୁ ୯୦ ପ୍ରତିଶତ ପ୍ରଂଶସକ ହେଉଛନ୍ତି ଭାରତୀୟ ଉପ ମହାଦେଶର ।

ରିସର୍ଚ୍ଚ ଅନୁଯାୟୀ, ୧୦୦ କୋଟି ଫ୍ୟାନ୍ ମାନଙ୍କ ମଧ୍ୟରୁ ୬୧ ପ୍ରତିଶତ ପୁରୁଷ ଥିବା ବେଳେ ୩୯ ପ୍ରତିଶତ ମହିଳା ରହିଛନ୍ତି । ଆଇସିସି ଏଭଳି ରିସର୍ଚ୍ଚ କରିବାର ମୁଖ୍ୟ କାରଣ ହେଉଛି, ପୂରା ବିଶ୍ୱରେ କ୍ରିକେଟ କ୍ଷେତ୍ରରେ କେଉଁ ଭଳି ବିକାଶ ହେଉଛି ଯାହାଦ୍ୱାରା କ୍ରିକେଟର ଉନ୍ନତି ପାଇଁ ଆଗାମୀ ପଦକ୍ଷେପ ନିଆଯାଇପାରିବ । ରିପୋର୍ଟ ଅନୁଯାୟୀ, ୬୯ ପ୍ରତିଶତ ଲୋକ ଟେଷ୍ଟ କ୍ରିକେଟ ଦେଖିବାକୁ ପସନ୍ଦ କରୁଥିବା ବେଳେ ଇଂଲଣ୍ଡରେ ସର୍ବାଧିକ ୮୬ ପ୍ରତିଶତ ଲୋକ ଏହି ମ୍ୟାଚକୁ ଉପଭୋଗ କରିଥାନ୍ତି । ସେହିଭଳି ଦିନିକିଆ କ୍ରିକେଟ ମ୍ୟାଚକୁ ପସନ୍ଦ କରୁଥିବା ସର୍ବାଧିକ ୯୧ ପ୍ରତିଶତ ପ୍ରଂଶସକ ଦକ୍ଷିଣ ଆଫ୍ରିକାରେ ରହିଛନ୍ତି । ଆଉ କ୍ରିକେଟରେ ରୋମାଞ୍ଚ ଆଣିଥିବା ଟି-୨୦ ମ୍ୟାଚକୁ ପାକିସ୍ତାନରେ ସର୍ବାଧିକ ୯୮ ପ୍ରତିଶତ ପ୍ରଂଶସକ ପସନ୍ଦ କରିଥାନ୍ତି ।

କ୍ରିକେଟର ତିନଟି ଫର୍ମାଟ ମଧ୍ୟରୁ ଟି-୨୦ ମ୍ୟାଚ ପ୍ରଂଶସକଙ୍କର ପ୍ରଥମ ପସନ୍ଦ । ଏହି ରୋମାଞ୍ଚକର ଫର୍ମାଟକୁ ୯୨ ପ୍ରତିଶତ ପ୍ରଂଶସକ ପସନ୍ଦ କରିଥାନ୍ତି । ଏହାପରେ ୮୮ ପ୍ରତିଶତ ପ୍ରଂଶସକ ଦିନିକିଆ ମ୍ୟାଚ ଦେଖିବାକୁ ପସନ୍ଦ କରିଥାନ୍ତି । କ୍ରିକେଟର କ୍ରେଜ ଦିନକୁ ଦିନ ବଢ଼ୁଥିବା ବେଳେ ଏବେ ୮୭ ପ୍ରତିଶତ ପ୍ରଂଶସକ ଚାହୁଁଛନ୍ତି କି କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରାଯାଉ । ଖାସକରି ଟି-୨୦ ମ୍ୟାଚକୁ ଅଲିମ୍ପିକ୍ସରେ ସାମିଲ କରିବାକୁ ଚାହୁଁଛନ୍ତି ପ୍ରଂଶସକ । ଆଇସିସିର ବିଶ୍ୱକପ କ୍ରିକେଟ ଓ ଟି-୨୦ ବିଶ୍ୱକପ ପ୍ରଂଶସକଙ୍କ ଅଧିକ ଲୋକପ୍ରିୟ ବୋଲି ସର୍ଭେରୁ ଜଣାପଡ଼ିଛି । ଏସବୁ ଭିତରେ କେବେ କ୍ରିକେଟ ଅଲିମ୍ପିକ୍ସରେ ସାମିଲ ହେବ ତାହା ଉପରେ ଏବେ କ୍ରିକେଟପ୍ରେମୀଙ୍କ ନଜର ।