ଏବେ ବି ଉପର ଘରେ ବନ୍ଧା ପଡ଼ିଛନ୍ତି ଡାକ୍ତରଙ୍କ ପତ୍ନୀ : ଗତକାଲି ଖବର ପ୍ରସାରଣ ପରେ ଖୋଲିଛି ସିଡି ତାଲା; ତଥାପି ଦେଉଡ଼ିରେ ବାନ୍ଧି ଖାଦ୍ୟ ପୁଡ଼ିଆ ଦଉଛନ୍ତି ବାପା

ପୋଲିସର ଦେଖା ନଥିବାରୁ ଉଠିଲା ପ୍ରଶ୍ନ

338

କନକ ବ୍ୟୁରୋ : ଏବେ ବି ଉପର ଘରେ ବନ୍ଧା ପଡ଼ିଛନ୍ତି ଡାକ୍ତରଙ୍କ ପତ୍ନୀ । ଯଦିଓ ଗତକାଲି ଖବର ପ୍ରସାରଣ ପରେ ସିଡିରେ ପଡିଥିବା ତାଲା ଖୋଲି ଦିଆଯାଇଛି । ତଥାପି ତିନି ମହଲାର ଉପର ଘରେ ଅଛନ୍ତି ବୋହୂ ନିବେଦିତା ସାହୁ । ଏଭଳି ଅଭାବନୀୟ ଚିତ୍ର ଆସିଛି ବ୍ରହ୍ମପୁର ଖୋଡ଼ାସିଂ ବାଂଛାନିଧି ନଗରରୁ । ଅଭିଯୋଗ ଅନୁସାରେ ଡ଼ାକ୍ତର ଶାନ୍ତିଭୁଷଣ ପାଠିଙ୍କ ପତ୍ନି ନିବେଦିତା ସାହୁଙ୍କୁ ଗୃହବନ୍ଦୀ କରି ରଖିଥିଲେ ତାଙ୍କ ଶ୍ୱଶୁର ।

ଗତକାଲି ସକାଳୁ ଉପର ଘରକୁ ଥିବା ସିଡ଼ିରେ ଶ୍ୱଶୁର ତାଲା ପକାଇ ଦେଇଥିଲେ । ଫଳରେ ବାଲକୋନୀରୁ ଦଉଡ଼ି ସାହାଯ୍ୟରେ ଉପରକୁ ଖାଦ୍ୟ ପଠାଇଥିଲେ ନିବେଦିତାଙ୍କ ବାପା । ବୁଧବାର ଦିନ ଶାଶୁ ଘରେ ରହିବାକୁ ଦାବି କରି ଧାରଣା ଦେଇଥିଲେ ବୋହୁ ନିବେଦିତା ସାହୁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ବେଶ ଉଚ୍ଚ ଶିକ୍ଷିତ ପରିବାର ହୋଇଥିଲେ ମଧ୍ୟ ବିବାହ ଦିନରୁ ବୋହୂ ନିବେଦିତାଙ୍କ ନିର୍ଯାତନା ଦେଇଆସୁଥିଲେ ଶାଶୂଘର ଲୋକ ।

ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଗତମାସ ୨୩ ତାରିଖରେ ନିଜେ ଏସପିଙ୍କୁ ଭେଟି ଶାଶୂଘରେ ନିର୍ଯାତନା କଥା କହିଥିଲେ । କିଭଳି ଶ୍ୱଶୂର ତାଙ୍କୁ ପରିବାର ଲୋକଙ୍କ ଆଗରେ ଉଠବସ କରାନ୍ତି ସେନେଇ ଅଭିଯୋଗ କରିଥିଲେ ।