ସୁନ୍ଦରଗଡ଼ ସୁନା ବ୍ୟବସାୟୀ ରୋହିତଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୁଲିସକୁ ବଡ଼ ସଫଳତା : ଝାଡ଼ଖଣ୍ଡ ଓ ବିହାରର ବିଭିନ୍ନ ସ୍ଥାନରୁ ଗିରଫ ହେଲେ ୫ ଅଭିଯୁକ୍ତ 

 ସୁନା, ଟଙ୍କା ଓ ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ

263

କନକ ବ୍ୟୁରୋ : ସୁନ୍ଦରଗଡ ପୋଲିସକୁ ବଡ ସଫଳତା । ବଡଗାଁର ସୁନା ବ୍ୟବସାୟୀ ରୋହିତ ବର୍ମାଙ୍କୁ ଗୁଳିକରି ହତ୍ୟା ଓ ଲୁଟ ଘଟଣାର ପର୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ୫ ଜଣଙ୍କୁ ଗରିଫ କରିଛି ପୋଲିସ । ଲୁଟ ସୁନା ଓ ଟଙ୍କା ଜବତ କରିବା ସହ ହତ୍ୟାରେ ବ୍ୟବହୃତ ବନ୍ଧୁକକୁ ଜବତ କରିଛି । ହତ୍ୟାକାରୀଙ୍କୁ ଧରିବା ଲାଗି ଓଡିଶା ପୋଲିସ ସମେତ ବିହାର ଓ ଝାଡଖଣ୍ଡ ପୋଲିସକୁ ନେଇ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଥିଲା । ଏହାପରେ ଝାଡଖଣ୍ଡ ଓ ବିହାରର ବିଭିନ୍ନ ସ୍ଥାନରୁ ଅଭିଯୁକ୍ତଙ୍କୁ ଗରିଫ କରିବାରେ ସଫଳ ହୋଇଛି ସୁନ୍ଦରଗଡ ପୋଲିସ ।

ଚଳିତ ମାସ ୧ ତାରିଖ ଦିନ ବଡ଼ଗାଁର ସୁନା ବ୍ୟବସାୟୀ ରୋହିତ ବର୍ମା ନିଜ ସୁନା ଦୋକାନ ମା ମଙ୍ଗଳା ଜୁଏଲାରି ଖୋଲିବା ସମୟରେ ତାଙ୍କୁ ୩ ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ଗୁଳି ମାରିବା ସହ ସୁନା ଗହଣା ଥିବା ଏକ ବ୍ୟାଗ ଛଡାଇ ନେଇଥିଲେ । ରୋହିତଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିବା ଯୋଗୁଁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗୁଳି ମାଡ଼ରେ ରୋହିତଙ୍କ ଜଣେ ସାଙ୍ଗ ମଧ୍ୟ ଆହତ ହୋଇଥିଲେ ।

ପୁଲିସ ୩୯୪, ୩୯୭ ଓ ୩୦୨ରେ ମାମଲା ରୁଜୁ କରି ୩ଟି ସ୍ବତନ୍ତ୍ର ଟିମ ଜରିଆରେ ତନାଘନା ଚଲାଇ ଥିଲା। ସ୍ଥାନୀୟ ଲୋକଙ୍କ ସମେତ ୬ ଜଣ ଘଟଣାରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା ପୁଲିସ । ଵିହାର, ଝାଡଖଣ୍ଡ ପୁଲିସ ସହାୟତାରେ ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ସୁନ୍ଦରଗଡ଼ ପୁଲିସ୍‌ । ଅନ୍ୟ ଜଣେ ଅଭିଯୁକ୍ତ ଖୁବ୍ ଶୀଘ୍ର ଧରାପଡିବ ଵୋଲି ଏସପି ସାଗରିକା ତାଙ୍କ ବୟାନରେ କହିଛନ୍ତି ।