ତ୍ରିବେନ୍ଦ୍ର ଗଲେ, ତୀରଥ ଆସିଲେ । ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତୀରଥ, ବିଜେପି ବିଧାୟକ ଦଳ ବୈଠକରେ ତୀରଥଙ୍କ ନାଁରେ ବାଜିଲା ମୋହର ।

191

କନକ ବ୍ୟୁରୋ : ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତିରଥ ସିଂ ରାୱତ । ତ୍ରିବେନ୍ଦ୍ର ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆଜି ତିରଥଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ବଛାଯାଇଛି । ତିରଥଙ୍କ ପୂର୍ବରୁ ଧନ ସିଂ ରାୱତ, ସତ୍ୟପାଲ ମହାରାଜ, ଅଜୟ ଭଟ୍ଟ, ରମେଶ ପୋଖରିଆଲଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାକୁ ଆସିଥିଲା । ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ତିରଥଙ୍କ ନାଁରେ ମୋହର ମାରିଥିଲା ଦଳ । ଯାହାକୁ ବିଜେପି ବିଧାୟକ ସମର୍ଥନ କରିଛନ୍ତି । ବିଜେପି ସାଂସଦ ଥିବା ତିରଥଙ୍କୁ ଦଳ ଏହି ଗୁରୁଦାୟିତ୍ୱ ଦେଇଛି ।

ଆରଏସଏସ ସହ ଜଡିଥିବା ଥିବା ତିରଥ ରାଜନୈତିକ କ୍ୟାରିୟର ସଂଘ ଓ ଏବିଭିପିରୁ ଆରମ୍ଭ କରିଥିଲେ । ଉତ୍ତରାଖଣ୍ଡ ଗଠନ ହେବା ପୂର୍ବରୁ ଉତ୍ତରପ୍ରଦେଶ ରାଜନୀତିରେ ମଧ୍ୟ ତୀରଥଙ୍କର ଦବଦବା ରହିଥିଲା । ମାତ୍ର ୨୦ ବର୍ଷ ବୟସରେ ଉତ୍ତରପ୍ରଦେଶର ପ୍ରାନ୍ତ ପ୍ରଚାରକ ହୋଇଥିଲେ । ଏପରିକି ରାମ ଜନ୍ମଭୂମି ଆନ୍ଦୋଳନରେ ଭାଗ ନେଇ ୨ ମାସ ଜେଲ ମଧ୍ୟ ରହିଥିଲେ । ପରେ ଉତ୍ତରାଖଣ୍ଡ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇବା ପରେ ତୀରଥଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳିଥିଲା । ୨୦୦୦ ମସିହାରେ ଉତ୍ତରାଖଣ୍ଡର ପ୍ରଥମ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ତୀରଥ । ଅନେକ ପଦପଦବୀ ସହ ରାଜ୍ୟରେ ବିଜେପିର ସଙ୍ଗଠନକୁ ମଜବୁତ କରିବାକୁ ଦିନ ରାତି ଏକ କରିଦେଇଥିଲେ ତୀରଥ । ଏପରିକି ୨୦୧୨ରେ ଯେତେବେଳେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ହେଭିୱେଟ ଚେହେରା ପରାଜୟ ବରଣ କରିଥିଲେ ଠିକ୍ ସେତିକିବେଳେ ତୀରଥ ବିଜୟ ଟୀକା ପିନ୍ଧିବାରେ ସକ୍ଷମ ହୋଇଥିଲେ । ଯାହା ତାଙ୍କ ଲୋକପ୍ରିୟତାର ପରିଚୟ ଦେଇଥିଲା ।

୨୦୧୩ରେ ତୀରଥଙ୍କୁ ଉତ୍ତରାଖଣ୍ଡ ବିଜେପିର ମୁଖିଆ କରାଯାଇଥିଲା । ତେବେ ୨୦୧୭ରେ ତାଙ୍କର ଟିକେଟ କାଟି ଦିଆଯାଇଥିବା ବେଳେ ରାଷ୍ଟ୍ରୀୟ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିଲା । ପରେ ହିମାଚଳପ୍ରଦେଶର ପ୍ରଭାରୀ ଭାବେ ଦାୟିତ୍ୱ ମିଳିଥିଲା ତୀରଥଙ୍କୁ । ଆଉ ଏହି ସୁଯୋଗର ସଦୁପଯୋଗ କରି ହିମାଚଳ ପ୍ରଦେଶରେ ୪ଟି ଲୋକସଭା ଆସନ ବିଜେପି ହାତକୁ ଆଣିଥିଲେ ତୀରଥ । ଏପରିକି ନିଜେ ୨୦୧୯ରେ ସାଂସଦ ଭାବେ ନିର୍ବାଚିତ ହେବା ପରେ ଏବେ ତ୍ରିବେନ୍ଦ୍ରଙ୍କୁ ହଟାଇ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ନିଷ୍ପତି ନେଇଛି ଦଳ । ଆଉ ଏହାସହ ଆଗାମୀ ବର୍ଷ ହେବାକୁ ଥିବା ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନର ଗୁରୁଦାୟିତ୍ୱ ତୀରଥଙ୍କ କାନ୍ଧରେ ଦେଇଛି ଦଳ ।