ପରହାତ ଟେକାରେ ପୁରୁଛି ପେଟ, ପର ପିଣ୍ଢାରେ ବିତୁଛି ଜୀବନ: କେବେ ଶୁଣିବେ ସରକାର?

119

କନକ ବ୍ୟୁରୋ: ଅଣ ଓଷାରିଆ ଖଣ୍ଡେ ଜାଗାରେ ଫୁଙ୍ଗୁଳା ଘର । କାନ୍ଥ ନାହିଁ କି ଦରଜା ନାହିଁ ଝୁଲୁଛି ଖଣ୍ଡେ ଫଟା ପଲିଥିନ୍ । ଘରେ କୁକୁର ବିଲେଇ ସମସ୍ତଙ୍କ ରାଜ୍ । କଷ୍ଟେମଷ୍ଟେ ମାଟି କାନ୍ଥ ଦେଇ ତା ଉପରେ ଆଜବେଷ୍ଟସ୍ ପକାଇଥିଲେ । ଲଗାଣ ବର୍ଷାରେ ସେତକ ବି ମାଟିରେ ମିଶିଗଲା । ଭଙ୍ଗା କାନ୍ଥର ମାଟି ସାଉଁଟୁଛି ଥରଥର ହାତ । ଦୁଃଖ କହିବେ କାହାକୁ?

ଇଏ ହେଉଛି ଫୁଲବାଣୀ ପୌର ଅଂଚଳ ୭ ନମ୍ବର ୱାର୍ଡରେ ରହୁଥିବା ବିଷ୍ଣୁ ପ୍ରିୟା ପାଣୀଗ୍ରାହୀଙ୍କ ଦୁଃଖ ଭରା ଜୀବନ । ପରିବାର କହିଲେ ନିଜେ , ବିଧବା ଭଉଣୀ ଓ ମାନସିକ ବିକାରଗ୍ରସ୍ତ ପୁଅ । ଗଳିରେ ଥିବା ଏଇ ବଖୁରିଏ ଘରେ ମୁଣ୍ଡ ଗୁଂଜନ୍ତି ୩ ପ୍ରାଣୀ । ହେଲେ ଲଗାଣ ବର୍ଷାରେ ଶୋଇଥିବାବେଳେ କାନ୍ଥ ଭାଙ୍ଗିଗଲା । ଅଳ୍ପକେ ବଂଚିଗଲା ୩ ଜୀବନ । ମାଟିକାନ୍ଥ ଭାଙ୍ଗିଯିବାରୁୁ ଚାରିପଟ ମେଲା । ପାଦ ପକେଇବାକୁ ବି ଜାଗା ନାହିଁ । ରାତି ହେଲେ କାହା ପିଣ୍ଡାରେ ମୁଣ୍ଡ ଗୁଂଜୁଛନ୍ତି ବିଷ୍ଣୁପ୍ରିୟା , ଭଉଣୀ ଓ ତାଙ୍କ ପୁଅ ।

ପରଘରେ କାମ କରି ,ମନ୍ଦିରରେ ଦୀପ ବିକି ଯାହା ଦି ପଇସା ମିଳୁଥିଲା । କରୋନା ଯୋଗୁଁ ସେତକ ବନ୍ଦ ହୋଇଗଲା । ଏପରି ପରିସ୍ଥିତିରେ ପୁଣି ଘର ଖଣ୍ଡେ ଛିଡା କରିବା ସ୍ୱପ୍ନ ।ଜାଗା ଟିକେ ନଥିବାରୁ ରୋଷେଇ ଗଣ୍ଡେ ବି କରିହେଉନି । ସାହି ପଡିଶାଙ୍କ ହାତ ଟେକାକୁ ଚାହିଁ ବସୁଛନ୍ତି ବିଷ୍ଣୁପ୍ରିୟା । ସହାୟତା ପାଇଁ ଫୁଲବାଣୀ ପୌର ପରିଷଦ ଅଧିକାରୀଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେବା ପରେ ଆଶା ହରାଇ ବସିଛନ୍ତି ବିଷ୍ଣୁପ୍ରିୟା । ତାଙ୍କର ଏଭଳି ଅବସ୍ଥା ଦେଖି ପାଖ ଲୋକେ ବି ମର୍ମାହତ ।

ଏଠି ପ୍ରଶ୍ନ ଉଠୁଛି ଯଦି ଏଭଳି ଅସହାୟ ଲୋକଙ୍କ ପାଇଁଁ କୌଣସି ସହାୟତା ନାହିଁ ତେବେ ସରକାରଙ୍କ ଯୋଜନା ସବୁ କାହା ସ୍ୱାର୍ଥରେ, ସରକାରୀ ବାବୁୁ ସବୁ କାହା ସେବାରେ? ଅଭାବୀ ଜୀବନକୁ ସରକାରୀ ସହାୟତା ମିଳିପାରିଲେ ଆଶ୍ୱସ୍ତ ହୁଅନ୍ତେ ବିଷ୍ଣୁପ୍ରିୟା ।