କାହିଁକି ପ୍ରଚାର ପାଇଁ ପଦ୍ମପୁର ଗଲେ ନବୀନ? କାହିଁକି ବର୍ଷାଙ୍କ ପାଇଁ କଲେ କ୍ୟାମ୍ପେନ୍? ସବୁ ପ୍ରଶ୍ନର ଉତ୍ତର ରଖିଲେ ବିଜେଡି ସୁପ୍ରିମୋ…

225

କନକ ବ୍ୟୁରୋ: ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ବଡ ବିଜୟ ପରେ ବିରୋଧୀଙ୍କୁ ସିଧା ନିଶାନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସିଧା ସିଧା ରାଜ୍ୟ ବିଜେପିର ନେତୃମଣ୍ଡଳୀ ଉପରେ ବର୍ଷିବା ସହିତ ବିରୋଧୀ ଶିବିରକୁ ତୀର ମାରିଛନ୍ତି ନବୀନ । ଏଥିସହିତ ନବୀନ କାହିଁକି ପଦ୍ମପୁର ପ୍ରଚାରରେ ଗଲେ? କାହିଁକି ବର୍ଷାଙ୍କ ପାଇଁ କ୍ୟାମ୍ପେନକୁ ଓହ୍ଲାଇଲେ ସେନେଇ ମଧ୍ୟ ସେ ଉତ୍ତର ରଖିଛନ୍ତି ।

ନବୀନ କହିଛନ୍ତି, “ଜଣେ ଶିକ୍ଷିତ ଅଳ୍ପ ବୟସର ମହିଳା, ବାପାକୁ ହରାଇଥିବା ଗୋଟିଏ ଝିଅକୁ ରାଜ୍ୟ ବିଜେପିର ନେତାମାନେ ଅସମ୍ମାନ କଲେ । ଏହା ମୋତେ ବହୁତ ଦୁଃଖ ଦେଲା । ଏହା କେବଳ ମୋ ପାଇଁ ଦୁଃଖ ନୁହେଁ, ଓଡିଶାର ସବୁ ମହିଳାମାନଙ୍କ ପାଇଁ ଏହା ଦୁଃଖର କଥା । ରାଜନୀତିରେ ନିର୍ବାଚନ ଲଢିବା ଏବଂ ଜିତିବା ଅଲଗା କଥା । ହେଲେ ଜଣେ ମହିଳାଙ୍କୁ ଏଭଳି ଭାବେ ଅସମ୍ମାନ କରିବା ନିନ୍ଦନୀୟ । ସେଥିପାଇଁ ମୁଁ ନିଷ୍ପତ୍ତି ନେଲି, ମୁଁ ନିଜେ ଯାଇ ବର୍ଷାଙ୍କ ପାଖରେ ଠିଆ ହେବି ।”

ଖାଲି ସେତିକି ନୁହେଁ, ବିଜେଡି ସୁପ୍ରିମୋ ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ ବାପା ଭଳି, ଜଣେ ଭାଇ ଭଳି ସେ ବର୍ଷାଙ୍କ ପାଖରେ ଠିଆ ହେବାକୁ ନିଷ୍ପତ୍ତି ନେଇଥିଲେ । ଏହି କାରଣରୁ ସେ ପଦ୍ମପୁର ଯାଇ ବର୍ଷାଙ୍କ ପାଇଁ ପ୍ରଚାର କରିଥିଲେ ।

ଅନ୍ୟପଟେ ବିରୋଧୀ ନେତାଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି, ରାଜନୀତି କରିବା ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ତେବେ ଏହାକୁ ଓଡିଶାବାସୀ ସମର୍ଥନ କରିବେ ନାହିଁ । ତା ସହିତ କେନ୍ଦ୍ରମନ୍ତ୍ରୀମାନେ ଓଡିଶାବାସୀ ଏବଂ ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ଯାହାକି ଠିକ୍ ନୁହେଁ । ମିଶିକି ଲୋକଙ୍କ କାମ କରିବାକୁ ବିରୋଧୀଙ୍କୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ । ଶେଷରେ ପଦ୍ମପୁରବାସୀଙ୍କ ପାଖରେ ଋଣୀ ରହିବା ସହିତ ଏହି ବିଜୟ ପଦ୍ମପୁରବାସୀଙ୍କ ବିଜୟ, ଏହି ବିଜୟ ପାଇଁ ଲକ୍ଷ ଲକ୍ଷ ବିଜେଡି କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।