ଧାମନଗର ପରାଜୟର ପ୍ରତିଶୋଧ, ପଦ୍ମପୁରରେ ନେଲା ବିଜେଡ଼ି । ବିପୁଳ ଭୋଟରେ ବିଜୟୀ ହେଲେ ବର୍ଷା ସିଂ ବରିହା 

ପଛରେ ପଡିଲେ ପ୍ରଦୀପ ପୁରୋହିତ, ଅମାନତ ହରାଇଲା କଂଗ୍ରେସ

85

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । କେବଳ ବିଜୟୀ ହୋଇନାହାଁନ୍ତି ସବୁ ଆକଳନକୁ ଭୁଲ ପ୍ରମାଣିତ କରି ରେକର୍ଡ ବ୍ୟବଧାନରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ । ବିଜେପିର ଭୋଟ ପରିମାଣ କମ୍ ହୋଇନଥିଲେ ବି ବିଜେଡିର ଭୋଟ ପରିମାଣ ଯଥେଷ୍ଟ ବଢ଼ିଯାଇଛି । କଂଗ୍ରେସର ଭୋଟ ବିଜେଡିକୁ ଚାଲିଯିବାରୁ ଭୋଟ ବ୍ୟବଧାନ ବଢ଼ିଯାଇଥିବା କୁହାଯାଉଛି । ତେବେ ପଦ୍ମପୁରରେ ବିଜେଡିର ଏହି ବିଜୟ ଦଳୀୟ ଶିିବିରରେ ଉତ୍ସାବର ମାହୋଲ ସୃଷ୍ଟି କରିଛି ।

  • ପଦ୍ମପୁରରେ ବାଜିଲା ଶଙ୍ଖ
  • ବିଜେଡି ଶିବିରରେ ଉତ୍ସବ 

ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ବିଜୟ ପରେ ଉତ୍ସବ ମନାଇଛନ୍ତି ବିଜେଡି ନେତା ଓ କର୍ମୀ । ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ବର୍ଷା ସିଂ ବରିହା ଜିନ୍ଦାବାଦ ନାରାରେ କମ୍ପୁଛି ସମଗ୍ର ପଦ୍ମପୁର ଅଞ୍ଚଳ । ବହୁ ସଂଖ୍ୟାରେ ବିଜେଡି ସମର୍ଥକ ବର୍ଷାଙ୍କ ଘର ସମ୍ମୁଖରେ ଏକାଠି ହୋଇ ତାଙ୍କୁ ଶୁଭେଛା ଜଣାଇଛନ୍ତି । ପରସ୍ପର ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବ ମନାଇଛନ୍ତି ।

  • ଆକଳନ ବାହାରେ ଫଳାଫଳ
  • ରେକର୍ଡ ବ୍ୟବଧାନରେ ଜିତିଲେ ବର୍ଷା 

ପଦ୍ମପୁର ଉପନିର୍ବାଚନ ଫଳାଫଳକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା, ନେତାଙ୍କ ଆକଳନ ସବୁକିଛି ଯେମିତି ଫେଲ ମାରିଛି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଏକତରଫା ଓ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ନିର୍ବାଚନ ପ୍ରଚାର ସମୟରୁ ଫଳାଫଳ ଆସିବାର ଦିନକ ପୂର୍ବରୁ କୁହାଯାଉଥିଲା, ପଦ୍ମପୁରରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବ । କିନ୍ତୁ ଫଳାଫଳ ଆସିବା ପରେ ସେହି ଆକଳନ ଭୁଲ ପ୍ରମାଣିତ ହୋଇଛି । ପୁଣି ଥରେ ବିଜେଡି ଉପରେ ଭରସା କରିଛନ୍ତି ପଦ୍ମପୁରବାସୀ ।

ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୪୨ ହଜାର ୬୭୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବର୍ଷାଙ୍କୁ ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ ମିଳିଛି । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୭୮ ହଜାର ୧୨୮ଖଣ୍ଡ ଭୋଟ୍ ମିଳିଛି । କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୩ ହଜାର ୫୯୪ ଭୋଟ୍ ।

ପୂର୍ବ ନିର୍ବାଚନ ଫଳାଫଳ ସହ ତୁଳନାରେ ଏହି ଉପନିର୍ବାଚନରେ ପଦ୍ମପୁରରେ ବିଜେଡିକୁ ରେକର୍ଡ ଭୋଟ ମିଳିଛି । ୨୦୧୯ରେ ବିଜେଡିକୁ ମିଳିଥିଲା ୮୩ ହଜାର ୨୯୯ ଖଣ୍ଡ ଭୋଟ୍ । ବିଜେପିକୁ ମିଳିଥିଲା ୭୭ ହଜାର ୫୬୬ଖଣ୍ଡ ଭୋଟ୍ ଆଉ କଂଗ୍ରେସକୁ ମିଳିଥିଲା ୩୨ ହଜାର ୭୮୭ ଭୋଟ୍ । କିନ୍ତୁ ବିଜେଡି ଉପରେ ଆର୍ଶୀବାଦ ଅଜାଡି ଦେଇଛନ୍ତି ପଦ୍ମପୁରବାସୀ ।

ବିଜେପିର ଭୋଟ କମିନଥିଲେ ବି ବିଜେଡିର ଭୋଟ ଯଥେଷ୍ଟ ବଢ଼ି ଯାଇଛି । ଯାହା ବିଜୟର ବ୍ୟବଧାନକୁ ବଢ଼ାଇ ଦେଇଛି । ତେବେ ଏଥିପାଇଁ ପଦ୍ମପୁରବାସୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଇଛନ୍ତିି ବର୍ଷା । କହିଛନ୍ତି, ବିରୋଧୀଙ୍କୁ ଜବାବ ଦେଇଛନ୍ତି ପଦ୍ମପୁରବାସୀ । ଏହା ତାଙ୍କର ଜନ୍ମଭୂମି ଓ କର୍ମଭୂମି । ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଯୋଗୁଁ ପଦ୍ମପୁରବାସୀ ଭୋଟ ଦେଇଛନ୍ତି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।

ପଦ୍ମପୁର ବିଜୟ ପରେ ବର୍ଷାଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି  ଲେଖିଛନ୍ତି ପଦ୍ମପୁର ଉପନିର୍ବାଚନର ଫଳାଫଳକୁ ସ୍ୱୀକାର କରିିବା ସହ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଛା ଜଣାଇଛନ୍ତି ।