ଦେବଗଡରେ ପ୍ରଣବ ପ୍ରକାଶଙ୍କ ଜୋରଦାର ପ୍ରଚାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଲେ ଟାର୍ଗେଟ ।

186

କନକ ବ୍ୟୁରୋ: ଦେବଗଡ ଜିଲ୍ଲା ତିଲେଇବଣିରେ ଓ ବଳମରେ ପ୍ରଚାର କଲେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ବଳମ୍ବଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଦେବଗଡ ଜିଲ୍ଲାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କେବେ ଊଣା କରି ନାହାନ୍ତି । ଗତ ୧୦ ବର୍ଷରେ ଶାସନରେ ଦେବଗଡ ଜିଲ୍ଲାର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର କଣ ଦେଇଛି ବୋଲି ପ୍ରଶ୍ନ କରିଥିଲେ ପ୍ରଣବ । ଦେବଗଡ ଭଳି କୃଷି ପ୍ରଧାନ ଜିଲ୍ଲାରେ କୌଣସି ଉନ୍ନୟନ କରିପାରିନଥିବା କେନ୍ଦ୍ରମନ୍ତ୍ରୀଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ଜନ ସାଧାରଣ ଉଚିତ ଜବାବ ଦେବେ ।

ସେହିପରି ତିଲେଇବଣିରେ ଆୟୋଜିତ ବିଜେଡି କର୍ମୀ ସମ୍ମିଳନୀରେ ଯୋଗ ଦେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାମକୁ ବିରୋଧ କରୁଥିବା ଦେବଗଡ ବିଧାୟକଙ୍କୁ ହଟାଇବା ପାଇଁ ଯୋଡି ଶଙ୍ଖକୁ ଆଶୀର୍ବାଦ କରିବାକୁ ଆହ୍ୱାନ ଦେଇଥିଲେ ପ୍ରଣବ ପ୍ରକାଶ ଦାସ । ସଭାରେ ବିଜେଡି ଜିଲ୍ଲା ସଭାପତି ଚିତ୍ତରଂଜନ ପ୍ରଧାନ, ଦେବଗଡ ବିଧାନସଭା ବିଜେଡି ପ୍ରାର୍ଥୀ ଅରୁନ୍ଧତୀ ଦେବୀ, ଆଦିବାସୀ ନେତା ନିରଞ୍ଜନ ବିଶି, କେନ୍ଦୁପତ୍ର ତୋଳାଳୀ ସଂଘ ରାଜ୍ୟ ସଂପାଦକ ସଂଜିତ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ । ଦଳୀୟ ସଂଗଠନକୁ ସୁଦୃଢ କରି ବିଜେଡିର ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଉପସ୍ଥିତ ହଜାର ହଜାର ଦଳୀୟ କର୍ମୀ ସଂକଳ୍ପ ନେଇଛନ୍ତି ।