ବ୍ରଜରାଜନଗରରେ କାହାକୁ ବାଛିବ ବିଜେଡି? ଦିବଙ୍ଗତ କିଶୋରଙ୍କ ପତ୍ନୀ କଲେ ଟିକେଟ ପାଇଁ ଦାବି

151

କନକ ବ୍ୟୁରୋ: ଖୁବଶୀଘ୍ର ଝାରସୁଗୁଡା ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା ହେବ । ଏହା ପୂର୍ବରୁ କିଏ ବିଜେଡି ଟିକେଟ୍ ପାଇବେ ସେ ନେଇ ଚର୍ଚ୍ଚା ବଢିଛି । ଏହାରି ଭିତରେ ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଟିକେଟ୍ ପାଇଁ ଆଶାବାଦୀ ବୋଲି କହିିଛନ୍ତି । ଅନ୍ୟପଟେ ଜିଲ୍ଲାର ପ୍ରମୁଖ ନେତା ତଥା ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ନେଇ ମଧ୍ୟ ଚର୍ଚ୍ଚା ବଢିଛି ।

  • ବ୍ରଜରାଜନଗରରେ କାହାକୁ ବାଛିବ ବିଜେଡି
  • ଦିବଙ୍ଗତ କିଶୋରଙ୍କ ପତ୍ନୀ କଲେ ଟିକେଟ ପାଇଁ ଦାବି

ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ହେବାକୁ ଥିବା ବେଳେ ବିଜେଡି ଟିକେଟ ପାଇଁ ଦାବି କରିଛନ୍ତି ସ୍ୱର୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି । ଦିବଙ୍ଗତ ସ୍ୱାମୀଙ୍କ ସ୍ୱପ୍ନ ପୂରଣ ପାଇଁ ନିର୍ବାଚନମଣ୍ଡଳୀର ଜନସାଧାରଣ ତାଙ୍କ ଉପରେ ଆସ୍ଥା ରଖିଛନ୍ତି ଓ ସେ ଏହାକୁ ବାସ୍ତବ ରୂପ ଦେବାକୁ ଚାହାନ୍ତି ବୋଲି କହିଛନ୍ତି । ଏପରିକି କିଶୋରଙ୍କ ପୁତ୍ର ଓ କନ୍ୟା ମଧ୍ୟ ମାଆଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି । ବାପାଙ୍କ ପରେ ମାଆ ହିଁ ବିଜେଡି ଟିକେଟ ପାଇଁ ମୁଖ୍ୟ ଦାବିଦାର ବୋଲି କହିଛନ୍ତି ।

ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ପାଇଁ ବିଜେଡି କାହାକୁ ଟିକେଟ ଦେବ ସେ ନେଇ ଆରମ୍ଭ ହୋଇଯାଇଛି ଛକାପଞ୍ଝା । ଝାରସୁଗୁଡା ଜିଲ୍ଲା ରାଜନୀତିରେ ପତିଆରା ବିସ୍ତାର କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ଝିଅ ଦୀପାଳିଙ୍କ ପାଇଁ ଲବି କରୁଥିବା ଚର୍ଚ୍ଚା ହେଉଛି । ଦୀପାଳି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟରେ ସାମିଲ ହେଉଥିବା ଏହି ସନ୍ଦେହକୁ ବଢାଉଥିବା ବେଳେ ଏ ସମ୍ପର୍କରେ କିନ୍ତୁ ସେ ମୁଁହ ଖୋଲୁ ନାହାନ୍ତି । ହେଲେ ଟିକେଟ କିଏ ପାଇବା ତାହା ଦଳର ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ବିଧାୟକଙ୍କ ପରଲୋକ ପରେ ତାଙ୍କ ସମ୍ପର୍କୀୟଙ୍କୁ ଟିକେଟ ଦେବା ବିଜେଡି ପାଇଁ କିଛି ନୂଆ କଥା ନୁହେଁ । ଏହା ସହିତ ଗୋଟିଏ ପରିବାରରୁ ଦୁଇ ଜଣଙ୍କୁ ପ୍ରାର୍ଥୀ କରିବା ମଧ୍ୟ ଦଳ ପାଇଁ ବିରଳ । ତେଣୁ ବ୍ରଜରାଜନଗର ପାଇଁ ହାଇକମାଣ୍ଡ କାହା ଉପରେ ସୁନା କଳସ ଢାଳୁଛନ୍ତି, ତାହାକୁ ଅପେକ୍ଷା ।