କିଏ ଏହି ସନ୍ଧ୍ୟା ଦେବନାଥନ ? ଯାହାଙ୍କୁ ମିଳିଲା ଫେସବୁକ ଇଣ୍ଡିଆର ମୁଖ୍ୟପଦ

376

କନକ ବ୍ୟୁରୋ : ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ତରଫରୁ ସନ୍ଧ୍ୟା ଦେବନାଥନଙ୍କୁ ଇଣ୍ଡିଆର ଉପ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ଗୁରୁବାର ଦିନ କମ୍ପାନୀ ତରଫରୁ ସୂଚନା ଦିଆଯାଇଥିଲା । ମେଟା ପାଖରେ ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟସପ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ରହିଛି । ଚଳିତମାସ ପ୍ରାରମ୍ଭରେ ଅଜିତ ମୋହନ ଏହି ପଦରୁ ଇସ୍ତଫା ଦେଇଥିବାରୁ ସନ୍ଧ୍ୟାଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ମେଟା ତରଫରୁ ଦିଆଯାଇଥିବା ବୟାନରେ କୁହାଯାଇଛି କି ଫେସବୁକ୍ ଇଣ୍ଡିଆର ଉପ ସଭାପତି ଭାବେ ସନ୍ଧ୍ୟା ଦେବନାଥନ୍ ଜାନୁଆରୀ ପହିଲାରୁ କାର୍ଯ୍ୟ ଆରମ୍ଭ କରିବେ । ଏବେ ସନ୍ଧ୍ୟା ସିଙ୍ଗାପୁରରେ ଫେସବୁକ୍ ପାଇଁ କାମ କରୁଛନ୍ତି ।

ମେଟାର ମୁଖ୍ୟ ବ୍ୟବସାୟୀକ ଅଧିକାରୀ ମାର୍ନେ ଲେର୍ବିନ ତାଙ୍କ ବୟାନରେ କହିଛନ୍ତି ସନ୍ଧ୍ୟାଙ୍କ ପାଖରେ ବ୍ୟବସାୟ ବୃଦ୍ଧି କରିବା ଓ ଟିମ୍ ପରିଚାଳନା କରିବାର ଅନୁଭବ ରହିଛି । ଏବେ ଆସନ୍ତୁ ଜାଣିବା ଏହି ସନ୍ଧ୍ୟା ଦେବନାଥନଙ୍କ ବାବଦରେ ।

ସନ୍ଧ୍ୟା ଦେବନାଥନ୍ ୨୦୧୬ ରେ ମେଟାରେ ନିଯୁକ୍ତି ପାଇଥିଲେ । ସେ ସିଙ୍ଗାପୁର ଓ ଭିଏତନାମରେ ମେଟାର ବ୍ୟବସାୟ ସମ୍ଭାଳିବା ସହ ଦକ୍ଷିଣ-ପୂର୍ବ ଏସିଆରେ ମେଟାର ଇ-କମର୍ସକୁ ଆଗକୁ ବଢାଇବାରେ ସହଯୋଗ କରିଥିଲେ । ସନ୍ଧ୍ୟାଙ୍କ ପାଖରେ ଏନେଇ ୨୨ ବର୍ଷର ଅଭିଜ୍ଞତା ରହିଛି । ସେ ବ୍ୟାଙ୍କିଙ୍ଗ, କମର୍ସ ଓ ଟେକ୍ନୋଲୋଜୀ ଭଳି ସେକ୍ଟରରେ କାମ କରିଛନ୍ତି ।

ସେପଟେ ଯଦି ଆମେ ସନ୍ଧ୍ୟା ଦେବନାଥନଙ୍କ ଶିକ୍ଷା କଥା କହିବା ତେବେ ସେ ୧୯୯୮ ମସିହାରେ ଆନ୍ଧ୍ର ୟୁନିଭରସିଟି କଲେଜରୁ କେମିକାଲ ଇଂଜିନିୟରିଂରେ ବିଟେକ୍ ସମାପ୍ତ କରିଥିଲେ । ଏହାପରେ ସେ ସିଏଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଦିଲ୍ଲୀ ୟୁନିଭରସିଟିରେ ଫ୍ୟାକୁଏଲ୍ଟି ଅଫ ମ୍ୟାନେଜମେ ଷ୍ଟଡିଜରେ ଏମବିଏ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ଅକ୍ସଫୋର୍ଡ ୟୁନିଭରସିଟିରୁ ଲିଡରସିପ୍ ଷ୍ଟଡିଜ ସମାପ୍ତ କରିଥିଲେ ।