ଓଡ଼ିଶାରେ ୨୮ ବିଧାନସଭା ପାଇଁ ସରିଲା ନାମାଙ୍କନ । ୨୬୬ ପ୍ରାର୍ଥୀ କଲେ ନାମାଙ୍କନପତ୍ର ଦାଖଲ, ମେ’ ୧୩ରେ ହେବ ଭୋଟ ।

125

କନକ ବ୍ୟୁରୋ : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି । ଶୁକ୍ରବାର ନାମାଙ୍କନପତ୍ର ଯାଞ୍ଚ ହେବାକୁ ଥିବା ବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲ ବାବଦରେ ସବିଶେଷ ତଥ୍ୟ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ ଲୋକସଭା ଆସନ ଅଧିନରେ ଥିବା ୨୮ ବିଧାନସଭା ଆସନ ପାଇଁ ମଧ୍ୟ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି । ଏହି ୨୮ ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ମୋଟ ୪୮୩ ସେଟ୍ ନାମାଙ୍କନପତ୍ର ଦାଖଲ ହୋଇଛି । ବ୍ରହ୍ମପୁର ବିଧାନସଭା ଆସନରେ ସର୍ବାଧିକ ୨୦ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିଭଳି ଝରିଗାଁ ଓ ଡାବୁଗାଁରେ ମାତ୍ର ୩ ଜଣ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଶୁକ୍ରବାର ନାମାଙ୍କନପତ୍ର ଯାଞ୍ଚ ହେବାକୁ ଥିବା ବେଳେ ୨୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଏହାପରେ ଏହି ୨୮ ଆସନରେ କେତେ ଜଣ ପ୍ରାର୍ଥୀ ଲଢେଇ ମୈଦାନରେ ରହିବେ ତାହା ସ୍ପଷ୍ଟ ହେବ । ଆସନ୍ତା ମେ’ ୧୩ରେ ଏହି ୨୮ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେବ ।