ଦୁଇ ଦଶକରେ ଭାରତରେ ବଢିବେ ୧୩.୫ କୋଟି ଯୁବବର୍ଗ… ଦେଶକୁ ମିଳିବ ଫାଇଦା କିନ୍ତୁ ସୃଷ୍ଟି ହେବ ଅନେକ ଚ୍ୟାଲେଞ୍ଜ: ତଥ୍ୟ

117

କନକ ବ୍ୟୁରୋ: ଗତ ଦୁଇ ଦଶକରେ ସାରା ବିଶ୍ୱରେ କାମ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିରେ ଭାରତର ଭୂମିକା ୨୦ ପ୍ରତିଶତ ରହିଛି । ବିଶ୍ୱ ବ୍ୟାଙ୍କର ଆକଳନ ଅନୁସାରେ ଭାରତରେ ଦୁଇ ଦଶକରେ ୧୫ରୁ ୫୯ ବର୍ଷ ବୟସର ଲୋକଙ୍କ ସଂଖ୍ୟା ପାଖପାଖି ୧୩.୫ କୋଟି ବୃଦ୍ଧି ହୋଇପାରେ । ଯେତେବେଳେ କି ଚୀନରେ ଏହି ସମୟ ମଧ୍ୟରେ ଏହି ସମାନ ସଂଖ୍ୟାର ହ୍ରାସ ଦେଖିବାକୁ ମିଳିବ । ଆଇଆଇଟି ଦିଲ୍ଲୀରେ ଏକ ଅନୁସନ୍ଧାନରୁ ଏହି ତଥ୍ୟ ମିଳିଛି । ଗବେଷକ ଜୟନ ଜୋସ ଥୋମାସଙ୍କ ରିସର୍ଚ୍ଚରୁ ଜଣାପଡିଛି ଯେ ଏହା ହେବା ଦ୍ୱାରା ଭାରତକୁ ଫାଇଦା ମିଳିବ ।

ତାଙ୍କ କହିବା ଅନୁସାରେ ଭାରତକୁ ନିଜର ବଢୁଥିବା ଯୁବଶକ୍ତିର କାର୍ଯ୍ୟବଳର ଲାଭ ଉଠାଇବାକୁ ପଡିବ । ଏଥିପାଇଁ ଆର୍ଥିକ ଏବଂ ଔଦ୍ୟଗିକ ନୀତିକୁ ଲାଗୁକରିବାକୁ ହେବ । ଆଗାମୀ ଦୁଇ ଦଶକରେ ଦେଶରେ କାର୍ଯ୍ୟବଳରେ ସାମିଲ ହେବାକୁ ପ୍ରସ୍ତୁତ ହେଉଥିବା ଯୁବବର୍ଗଙ୍କ ବଢୁଥିବା ସଂଖ୍ୟା ପାଇଁ ଭାରତରେ ରୋଜଗାର ସୃଷ୍ଟିକୁ ଗୁରୁତ୍ୱ ଦେବାକୁ ପଡିବ ।

୨୦୨୦ ଠାରୁ ଆଗାମୀ ଦୁଇ ଦଶକର ଅବଧି ମଧ୍ୟରେ ସାରା ବିଶ୍ୱରେ ବିଭିନ୍ନ କାର୍ଯ୍ୟରେ ୨୦ ପ୍ରତିଶତର ବୃଦ୍ଧି ଭାରତରୁ ହେବ । ବିଶ୍ୱବ୍ୟାଙ୍କ ଅନୁସାରେ ୨୦୨୦ରୁ ୨୦୪୦ ମଧ୍ୟରେ ୧୫ ବର୍ଷରୁ ୫୯ ବର୍ଷର ଆୟୁସୀମାର ଭାରତର ଜନସଂଖ୍ୟା ୧୩.୪୬ କୋଟି ବୃଦ୍ଧି ହେବା ନେଇ ଅନୁମାନ କରାଯାଉଛି । ଯେତେବେଳେ କି ସେହି ସମାନ ଅବଧିରେ ଚୀନରେ ଏହି ପରିମାଣର ହ୍ରାସ ଦେଖିବାକୁ ମିଳିବ । କ୍ଷମତାବାନ ଶ୍ରମିକଙ୍କ ବଢୁଥିବା ସଂଖ୍ୟା ଭାରତର ଆର୍ଥିକ ବିକାଶ ପାଇଁ ଏକ ବଡ ବରଦାନ । ତେବେ ବଢୁଥିବା ଯୁବବର୍ଗଙ୍କ ସଂଖ୍ୟାପାଇଁ ନୂଆ ଏବଂ ଭଲ ରୋଜଗାରର ଅବସର ସୃଷ୍ଟି କରିବା ନୀତି ନିର୍ମାତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ।

ଭାରତର ଅର୍ଥବ୍ୟବସ୍ଥା ଏବଂ ଶ୍ରମ ଶକ୍ତି ଏକ ସଂରଚନାତ୍ନମ ପରିବର୍ତ୍ତନ ଦେଇ ଗତିକରୁଛି । ଏହା ନୂଆ ଚାକିରି ସୃଷ୍ଟିକୁ ବୃଦ୍ଧି ପାଇଁ ପଦକ୍ଷେପ ନେଉଛି । ନିକଟରେ ୨୦୧୭-୧୮ ଯାଏ କୃଷି ସହ ସମ୍ବନ୍ଧିତ ଚାକିରୀ ଭାରତରେ ୪୧.୮ ପ୍ରତିଶତ ରୋଜଗାର ତଥା ୪୫.୭୬ କୋଟି ଲୋକଙ୍କୁ ଜୀବିକା ପ୍ରଦାନର ସ୍ରୋତ ଥିଲା ।

୨୦୦୦ ଦଶକର ମଧ୍ୟ ଭାଗରେ କୃଷି କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଥିଲା ଏବଂ ଆଗାମୀ ବର୍ଷରେ ଏହି ପ୍ରକ୍ରିୟା ବୃଦ୍ଧିର ସମ୍ଭାବନା ରହିଛି । ଏହାର ପରିଣାମ ଏହା ହେବ ଯେ ଲକ୍ଷାଧିକ ସଂଖ୍ୟାରେ ଲକ୍ଷ ଲକ୍ଷ ଶ୍ରମିକ ଗାଁର ନିଜ ଘର ଛାଡି ସହରରେ ଅଣ କୃଷି ଚାକିରୀ ଖୋଜିବେ ।