ସାତ ଜନ୍ମର ସାଥିହେଲେ ଶୁଭ୍ରାଂଶୁ, ଦେବସ୍ମିତା। ୮ବର୍ଷର ଭଲ ପାଇବାରେ ପାଚେରୀ ଛିଡା କରିପାରିଲାନି ପକ୍ଷାଘାତ।

2,066

କନକ ବ୍ୟୁରୋ: ସମସ୍ତେ କୁହନ୍ତି ବିବାହ ସାତଜନ୍ମର ବନ୍ଧନ । ବିବାହ ମନ ଆଉ ମନର ମିଳନ । ବିବାହ ଦୁଇ ଦୁଇଟି ଜୀବନର ଅପୂର୍ବ ସଙ୍ଗମ । ବିବାହର ସେହି ମୁହୂର୍ତ୍ତକୁ ସମସ୍ତେ ଅପେକ୍ଷାର ସହ ଚାହିଁ ରହିଥାନ୍ତି । ଏଠି ବି ଆଜି ଦୁଇ ଦୁଇଟି ମନର ମିଳନ ହୋଇଛି । ଦୁଇଟି ଆତ୍ମା ସାତ ଜନ୍ମ ପାଇଁ ଏକାଠି ହୋଇଛନ୍ତି ।

ବେଦ ମନ୍ତ୍ରର ଉଚ୍ଚାରଣରେ ଦେବସ୍ମିତାଙ୍କ ମଥାରେ ସିନ୍ଦୁର ଦେଇଛନ୍ତି ଶୁଭ୍ରାଂଶୁ । କନିଆ ବେକରେ ବରଣମାଳାର ଅଦଳବଦଳ ବି ହେଉଛି, ଆଉ ଶେଷରେ ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ଶୁଭ୍ରାଂଶୁ ୭ ଫେରା ମଧ୍ୟ ନେଇଛନ୍ତି । ଏ ଦୁଇ ଜଣଙ୍କ ଭଲ ପାଇବା ଆଜି ପ୍ରମାଣିତ କରିଛି ପ୍ରେମର ମାନେ କଣ? ଆଜିଠାରୁ ଶୁଭ୍ରାଂଶୁ ଦେବସ୍ମିତାଙ୍କୁ କହିବେ ମୋ ହାତ ଧରି ବାଟ ଚାଲୁଥା ।

ଦୀର୍ଘ ୮ ବର୍ଷର ଭଲ ପାଇବା ଆଜି ଯେତେବେଳେ ସମ୍ପୂର୍ଣ୍ଣ ହେଉଥିଲା ସମସ୍ତେ ଖୁସି ଥିଲେ, ମନରେ ଅନେକ କୋହ ବି ଥିଲା । କାରଣ ଏହା ପଛରେ ଯେଉଁ କାହାଣୀ ଥିଲା ତାହା ଏମିତି ନୂଆ ରାସ୍ତାରେ ଯିବ ତାହା କେହି କଳ୍ପନା ବି କରିପାରିନଥିଲେ । ବାଲେଶ୍ୱର ଖନ୍ତାପଡା ଅଞ୍ଚଳର ଶୁଭ୍ରାଂଶୁ ଓ ଦେବସ୍ମିତା ୨୦୧୫ରେ ପରସ୍ପରକୁ ଭଲ ପାଇବସିଥିଲେ । ଏ ଭଲ ପାଇବାକୁ ସେମାନେ ବିବାହର ନାଁ ଦେବା ପାଇଁ ବି ପ୍ରସ୍ତୁତ ହୋଇସାରିଥିଲେ । କିନ୍ତୁ ଦେବସ୍ମିତାଙ୍କ ସହ ଏମିତି କିଛି ଘଟିଲା ଯାହା ତାଙ୍କ ଜୀବନକୁ ପୂରା ବଦଳାଇ ଦେଲା । ଯେଉଁ ପାଦ ଦିନେ ଓଡିଶୀ ନୃତ୍ୟ କରି ସମସ୍ତଙ୍କୁ ବିମୋହିତ କରୁଥିଲା ହଠାତ୍ ସେହି ପାଦ ଅଟକି ଗଲା । ପକ୍ଷାଘାତ ତାଙ୍କୁ ଆଉ ତାଙ୍କ ପାଦକୁ ରୋକିଦେଇଥିଲା । ଚନ୍ଦ୍ରରେ ଗ୍ରହଣ ଲାଗିବା ଭଳି ଦେବସ୍ମିତାଙ୍କ ଜୀବନରେ ବି ଗ୍ରହଣ ଲାଗିଗଲା । ହ୍ୱିଲ ଚେୟାର ପାଲଟିଗଲା ତାଙ୍କ ଜୀବନର ସାଥୀ । କିନ୍ତୁ ଶୁଭ୍ରାଂଶୁ ତାଙ୍କ ହାତ ଛାଡିନଥିଲେ । ପ୍ରତିଟି ସମୟରେ ସେ ତାଙ୍କୁ ପ୍ରେମର ପରିଭାଷା ବୁଝାଇଚାଲିଥିଲେ ।

ଏଇ ଯେମିତି ଶୁଭ୍ରାଂଶୁଙ୍କ ଭାଷାରେ ‘ଇଏ ଭି ୱକ୍ତ ଥା ଯବ ଯବ ମେରା ପ୍ୟାର ମାଥେସେ ହୋକର ଦିଲ୍ ତକ ରାସ୍ତା ଢୁଣ୍ଡଲିଆ । ତେରେ ମାଥେ କୋ ଲାଲ କରନେ କେ ସାଥ୍ ସାଥ୍ ମେରୀ ଜିନ୍ଦେଗୀକୁ ଖୁସିୟୋ କେ ରଙ୍ଗ ସେ ଭର ଦିଆ’

ସତରେ ଆଜି ଶୁଭ୍ରାଂଶୁଙ୍କ ଜୀବନରେ ଖୁସି ଭରିଯାଇଛି । ଦେବସ୍ମିତାଙ୍କ ଏଭଳି ସମୟରେ ଶୁଭ୍ରାଂଶୁ ତାଙ୍କ ଜୀବନରେ ସତରେ ଖୁସି ଭରିଦେଇଛନ୍ତି । ସାତଜନ୍ମ ପାଇଁ ସେମାନେ ସାଥୀ ହୋଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟିକରିଛନ୍ତି । ଆଜିଠାରୁ ହ୍ୱିଲ ଚେୟାର ନୁହେଁ ଶୁଭ୍ରାଂଶୁଙ୍କ ହାତ ଧରି ସାରା ଜୀବନ ଚାଲିବେ ଦେବସ୍ମିତା ।