ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କଲେ ନବୀନ । ଜାଣନ୍ତୁ କେଉଁମାନଙ୍କୁ ଏହି କାର୍ଡରେ ମିଳିବ  ଚିକିତ୍ସା ସୁବିଧା?

613

କନକ ବ୍ୟୁରୋ  : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କ ପାଇଁ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରିରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କିଛି ହିତାଧିକାରୀଙ୍କୁ କାର୍ଡ ବାଣ୍ଟିଛନ୍ତି ନବୀନ । ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକଙ୍କୁ ଏହି କାର୍ଡ ଯୋଗେ ଚିକିତ୍ସା ସୁବିଧା ମିଳିବ । ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ଆଗକୁ ଚିକିତ୍ସା ପାଇଁ ଆଉ ଭିନ୍ନ ଭିନ୍ନ କାଗଜପତ୍ରର ଆବଶ୍ୟକତା ପଡିବନି କେବଳ ସ୍ମାର୍ଟ କାର୍ଡ ଦେଖାଇଲେ ହିତାଧିକାରୀ ଚିକିତ୍ସା ସୁବିଧା ପାଇପାରିବେ ।

ତେବେ କେଉଁମାନେ ଏହି ସ୍ମାର୍ଟ ହେଲଥ କାର୍ଡରେ ସ୍ୱାସ୍ଥ୍ୟ ସେବା ସୁବିଧା ପାଇପାରିବେ? ଯେଉଁମାନଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ରହିଛି ସେମାନେ ଏହି କାର୍ଡ ପାଇପାରିବେ । ସେହିଭଳି  ଅନପୂର୍ଣ୍ଣା, ଅନ୍ତୋଦୟ, ବିଜୁ କୃଷକ କଲ୍ୟାଣ କାର୍ଡ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ, ରାଜ୍ୟ ସରକାରଙ୍କ ରାସନ କାର୍ଡ ପାଇଥିବା ହିତାଧିକାରୀ, ଆୟ ସ୍ୱଳ୍ପ ଥିବା ବ୍ୟକ୍ତି ଏହି ସ୍ମାର୍ଟ ହେଲଥ କାର୍ଡର ସୁବିଧା ପାଇପାରିବେ । ଏହି କାର୍ଡରେ ସମ୍ପୂର୍ଣ୍ଣ କ୍ୟାସଲେସ ଭାବେ ହିତାଧିକାରୀଙ୍କୁ ଚିକିତ୍ସା ସୁବିଧା ମିଳିବ ।