କେଉଁ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବ ରାଜ୍ୟ କଂଗ୍ରେସ? ଦ୍ରୌପଦୀଙ୍କୁ ନେଇ ତୁଟୁନି ରାଜ୍ୟ କଂଗ୍ରେସର ଦ୍ୱନ୍ଦ୍ୱ । ସମର୍ଥନ ପାଇଁ ସୋନିଆଙ୍କୁ ଚିଠି ଲେଖିବେ ସୁର

221

କନକ ବ୍ୟୁରୋ: ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଭାଗ ଭାଗ ହେଲା ରାଜ୍ୟ କଂଗ୍ରେସ । ପାର୍ଟି ଆଗ ନା ମାଟି ଆଗ, ଏହାକୁ ନେଇ ରାଜ୍ୟ କଂଗ୍ରେସ ନେତାଙ୍କ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ଦ୍ରୌପଦୀଙ୍କୁ ସମର୍ଥନ ଦେବାର ପ୍ରଶ୍ନ ଉଠୁନି । ଏପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ଆଜି ବଡ଼ ବୟାନ ଦେଇ କହିଛନ୍ତି ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବେ । ଯାହାକୁ ନାପସନ୍ଦ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

  • ଦ୍ରୌପଦୀଙ୍କୁ ନେଇ ତୁଟୁନି ରାଜ୍ୟ କଂଗ୍ରେସର ଦ୍ୱନ୍ଦ୍ୱ
  • ସମର୍ଥନ ପାଇଁ ସୋନିଆଙ୍କୁ ଚିଠି ଲେଖିବେ ସୁର

ପାର୍ଟି ଆଗ ନା ମାଟି ଆଗ, ଏହାକୁ ନେଇ ରାଜ୍ୟ କଂଗ୍ରେସ ନେତାଙ୍କ ଦ୍ୱନ୍ଦ୍ୱ ଦୂର ହେଉନି । ଗୋଟିଏ ପଟେ ଜଣେ ଓଡ଼ିଆ ରାଷ୍ଟ୍ରପତି ହେବା ଅତ୍ୟନ୍ତ ଗୌରବର ବିଷୟ, ଅନ୍ୟପଟେ ଦଳର ଆଭିମୁଖ୍ୟ । ଏହାକୁ ନେଇ ଦୋଛକିରେ ପଡିଛନ୍ତି ନେତା । ଦୁଇ ଦିନ ତଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଦ୍ରୌପଦୀଙ୍କ ଆରଏସଏସ ବିଚାର ଧାରା ସହ ଯୋଡି କହିଥିଲେ, ଦ୍ରୌପଦୀଙ୍କୁ ସମର୍ଥନ ଦେବା ପ୍ରଶ୍ନ ଉଠୁନି, ମିଳିତ ବିରୋଧୀ ପ୍ରାର୍ଥୀଙ୍କୁ ରାଜ୍ୟ କଂଗ୍ରେସ ସମର୍ଥନ ଦେବ । ଆଜି କଂଗ୍ରେସ ବିଧାୟକ ସୁର ରାଉତରାୟ ବଡ଼ ବୟାନ ଦେଇ ଦଳୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଛନ୍ତି । ଆଉ ଖୋଲାଖୋଲି କହିଛନ୍ତି, ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବେ । ଯାହାକୁ ନାପସନ୍ଦ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ମତ ।

ସେପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱକୁ ସେ ସ୍ୱାଗତ କରୁଛନ୍ତି, କିନ୍ତୁ ଦଳର ଲକ୍ଷ୍ମଣ ରେଖା ଅତିକ୍ରମ କରିପାରିବେ ନାହିଁ । ରାଜନୈତିକ ଦଳରେ ରହିଥିବାରୁ ସେ ଦଳର ନିଷ୍ପତି ମାନିବେ ବୋଲି କହିଛନ୍ତି ଜୟପୁର ବିଧାୟକ । ତେବେ ଏସବୁ ଭିତରେ ରାଜ୍ୟ କଂଗ୍ରେସ ନେତାଙ୍କ ସବୁଠୁ ବଡ଼ ଦ୍ୱନ୍ଦ୍ୱ ହେଉଛି, ଯଦି ମାଟିର ଝିଅ ଦ୍ରୌପଦୀଙ୍କୁ ସେମାନେ ସମର୍ଥନ ନଦେଇ ଦଳୀୟ ନିଷ୍ପତି ସହ ଯାଆନ୍ତି, ତେବେ ଏହା କେଉଁ ବାର୍ତ୍ତା ଦେବ । ୨୦୨୪ ନିର୍ବାଚନରେ ଏହା କଂଗ୍ରେସକୁ ଲାଭ ଦେବ ନା କ୍ଷତି ପହଁଚାଇବ ।