ସୋନିଆଙ୍କୁ ଦ୍ରୌପଦୀ ଏବଂ ମୋଦୀଙ୍କୁ ଭୋଟ ଭିକ୍ଷା କଲେ ଯଶୱନ୍ତ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ ସମସ୍ତଙ୍କ ନଜର । କାହାକୁ ସମର୍ଥନ ଦେବ ଜେଏମଏମ୍?

256

କନକ ବ୍ୟୁରୋ: ସୋନିଆଙ୍କୁ ଦ୍ରୌପଦୀ ଏବଂ ମୋଦୀଙ୍କୁ ଭୋଟ ଭିକ୍ଷା କଲେ ଯଶୱନ୍ତ । ରାଷ୍ଟ୍ରପତି ପଦ ପାଇଁ ସମର୍ଥନ ଗୋଟାଇବାରେ ଲାଗିଛନ୍ତି ଦ୍ରୌପଦୀ ମୁର୍ମୁ ଓ ଯଶୱନ୍ତ ସିହ୍ନା । ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି ଦ୍ରୌପଦୀ । ସେପଟେ ଦ୍ରୌପଦୀଙ୍କୁ ପ୍ରାର୍ଥୀ କରି ଏନଡିଏ ଯେଉଁ ମାଷ୍ଟର ଷ୍ଟ୍ରୋକ ଖେଳିଥିଲା ସେଥିରେ ଦଳ ବେଶ ସଫଳ ହୋଇଥିବା ଦେଖିବାକୁ ମିଳୁଛି । କାରଣ ବିରୋଧୀ ଶିବିରରୁ ଗୋଟିଏ ପରେ ଗୋଟିଏ ଦଳ ଏହି ଆଦିବାସୀ ନେତ୍ରୀଙ୍କୁ ସମର୍ଥନ ଜଣାଇଛନ୍ତି ।

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ଯେଉଁ ମାଷ୍ଟର ଷ୍ଟ୍ରୋକ ଖେଳିଥିଲା, ସେଥିରେ ସଫଳ ହୋଇଛି ଦଳ । ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ଦଳ ଭାଗ ଭାଗ ହୋଇ ଯାଇଛନ୍ତି । କାରଣ ଦ୍ରୌପଦୀ ଜଣେ ଆଦିବାସୀ ଓ ମହିଳା ନେତ୍ରୀ ହୋଇଥିବାରୁ ଆଦର୍ଶ ଦୃଷ୍ଟିରୁ ଏନଡିଏ ବାହାରେ ଥିବା ଗୋଟିଏ ପରେ ଗୋଟିଏ ଦଳ ସମର୍ଥନ ଘୋଷଣା କରିଛନ୍ତି । ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ କହିଛନ୍ତି, ଜଣେ ଆଦିବାସୀ ନେତ୍ରୀ ରାଷ୍ଟ୍ରପତି ହୁଅନ୍ତୁ ବୋଲି ତାଙ୍କ ଦଳ ଚାହୁଁଛି ।

ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ତାଲିକା ବଢ଼ି ବଢ଼ି ଚାଲିଛି । ଦ୍ରୌପଦୀଙ୍କ ପ୍ରାର୍ôଥତ୍ୱକୁ ବିଜେଡି, ଜେଡିୟୁ, ୱାଇଏସଆର କଂଗ୍ରେସ ଓ ବିଏସପି ସମର୍ଥନ ଘୋଷଣା କରିଛନ୍ତି । ସେପଟେ ଯଶୱନ୍ତ ସିହ୍ନାଙ୍କୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ବାମଦଳ, ଏନସିପି, ଶିବସେନା ଓ ସମାଜବାଦୀ ପାର୍ଟି ସମର୍ଥନ ଦେଉଛନ୍ତି । ତେବେ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି କାହାକୁ ସମର୍ଥନ ଦେବ ଏପର୍ଯନ୍ତ ଘୋଷଣା କରିନାହିଁ ।

  • ସୋନିଆ, ମମତାଙ୍କ ସମର୍ଥନ ଲୋଡ଼ିଲେ ଦ୍ରୌପଦୀ
  • ମୋଦୀ ଓ ରାଜନାଥଙ୍କୁ ସମର୍ଥନ ମାଗିଲେ ଯଶୱନ୍ତ

ରାଷ୍ଟ୍ରପତି ପଦ ପାଇଁ ସମର୍ଥନ ଗୋଟାଇବାକୁ ଲାଗି ପଡ଼ିଛନ୍ତି ଉଭୟ ଦ୍ରୌପଦୀ ମୁର୍ମୁ ଓ ଯଶୱନ୍ତ ସିହ୍ନା । କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ସେହିପରି ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଫୋନ୍ କରି ନିର୍ବାଚନରେ ତାଙ୍କୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଶୀର୍ଷ ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଫୋନ୍ କରି ଯଶୱନ୍ତ ବିରୋଧୀ ଦଳର ଏକତା କଥା କହି ଭୋଟ୍ ଅପିଲ୍ କରିଛନ୍ତି ।

ତେବେ ଏହି ନିର୍ବାଚନରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଦ୍ରୌପଦୀ, ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ସହିତ ଜଣେ ଆଦିବାସୀ ନେତ୍ରୀ । ଦୁଇ ନେତାଙ୍କ ମଧ୍ୟରେ ଘନିଷ୍ଠ ପାରିବାରିକ ସଂପର୍କ ରହିଥିବା କୁହାଯାଉଛି । ତେଣୁ ଦ୍ରୌପଦୀଙ୍କୁ ଜେଏମଏମ ସମର୍ଥନ ଦେବା ସମ୍ଭାବନା ଅଧିକ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେବା ପରେ ତାଙ୍କ ବିରୋଧରେ ତେଲେଙ୍ଗାନାର ବରିଷ୍ଠ ବିଜେପି ନେତା ଜି ନାରାୟଣ ରେଡ୍ଡି ଏତଲା ଦେଇଛନ୍ତି । ଟ୍ୱିଟରରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ଆପତ୍ତିଜନକ ବୟାନ ପୋଷ୍ଟ୍ କରିଥିଲେ । ଏସସି/ଏସଟି ଆଇନ ଆଧାରରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ବିଜେପି ଦାବି କରିଛି । ଏହା ବିରୋଧରେ ଅପରାଧିକ ମାମଲା ରୁଜୁ ହେବ ବୋଲି କହିଛି ହାଇଦ୍ରାବାଦ ପୁଲିସ । ବିବାଦ ବଢ଼ିବା ପରେ ରାମ ଗୋପାଳ ବର୍ମା ତାଙ୍କ ସଫେଇରେ କହିଛନ୍ତି ଯେ, ମହାଭାରତରେ ଦ୍ରୌପଦୀ ଚରିତ୍ରକୁ ସେ ଅଧିକ ପସନ୍ଦ କରନ୍ତି । କୌଣସି ଖରାପ ଉଦ୍ଦେଶ୍ୟରେ ସେ ଏହି ଟ୍ୱିଟ କରିନଥିଲେ ବୋଲି କହିଛନ୍ତି ।