ପାଣି ଖସୁଛି ହେଲେ ବଢୁଛି ଦୁର୍ଦ୍ଦଶା। ପରିବା କ୍ଷେତରେ ବେକ ଉଚ୍ଚର ବନ୍ୟା ପାଣି। 

256

କନକ ବ୍ୟୁରୋ: କମୁଛି ପାଣି ବଡୁଛି ଚାଷୀ ଙ୍କ ଦୁର୍ଦ୍ଦଶା, ଚାଷୀ ହତାଶ,  ପନିପରିବା  କିଆରିରେ ଆଣ୍ଠୁଏ ପାଣି  ।  ପାଟକୁରା, ବାଙ୍କୀ, ଆଠଗଡ, କେନ୍ଦ୍ରାପଡାର ପରିବା କ୍ଷେତରେ ବେକ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି । ଆଉ ଚାଷୀ ପାଣିରେ ବୁଡି ପଚିଯାଇଥିବା ପରିବାକୁ ଦେଖାଉଛି । ଆଉ ଚାଷୀ ପଛ ପଟେ ଆଖି ପାଇବା ଯାଏଁ ବନ୍ୟା ପାଣି ଦେଖା ଯାଉଛି ।

କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଭେଣ୍ଡି, କଖାରୁ, ପୋଟଳ ଓ ଅନ୍ୟ ପନିପରିବା ଚାଷରେ ବନ୍ୟା ପାଣି ମାଡିଯାଇଛି । ଚାରି ପାଞ୍ଚ ଦିନ ହେଲା ବନ୍ୟା ପାଣିରେ ପରିବା ବୁଡି ରହିଥିବାରୁ ଏବେ ପରିବା ଶଢିଯାଇଛି । ଧାର କରଜ କରି ପରିବା ଚାଷ କରିଥିବାରୁ କେମିତି ପରିଶୋଧ କରିବେ ସେହି ଚିନ୍ତାରେ ଘାରି ହେଉଛନ୍ତି ଚାଷୀ ।

କଟକ ଆଠଗଡ ଅଞ୍ଚଳର କଟକିଆ ସାହି ବନ୍ଧହାଟ ଗାଁରେ ୪୦ ଏକର ଜମିରେ ବାଇଗଣ, ଭେଣ୍ଡି, ପୋଟଳ ଭଳି ପରିବା ଚାଷ କରିଥିଲେ ଚାଷୀ । ପରିବା ଅମଳ ସମୟରେ ମହାନଦୀରେ ଆସିଲା ବନ୍ୟା । ଆଉ ଚାଷୀଙ୍କ ଆଖି ସାମ୍ନାରେ ଉଜୁଡିଗଲା ପରିବା ଫସଲ । ୫ ଦିନ ଧରି ଚାଷ ଜମିରେ ୭ରୁ ୮ଫୁଟ ବନ୍ୟା ପାଣି ଜମିଥିବାରୁ ସବୁ ପରିବା ନଷ୍ଟ ହୋଇଯାଇଛିା ସେପଟେ କେନ୍ଦ୍ରାପଡାର ମାର୍ଶାଘାଇ, ମହାକାଳପଡା ଓ ଗରଦପୁର ବ୍ଲକରେ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଛି । ବନ୍ୟା ଯୋଗୁଁ ନଦୀ ପଠାରେ ଚାଷ କରିଥିବା ପନିପରିବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।