ୟୁପିଏ ନୁହେଁ କି ପିଡିଏ ନୁହେଁ ବିରୋଧୀ ମେଣ୍ଟର ନାମ ରଖାଗଲା ଇଣ୍ଡିଆ, ଜାଣନ୍ତୁ ନାମ ପଛରେ କ’ଣ ରହିଛି ଅର୍ଥ

396

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପାଖେଇ ଆସୁଛି । ତାରିଖ ଘୋଷଣା ହୋଇ ନଥିଲେ ବି ରାଜନୈତିକ ମାହୋଲ ସରଗରମ ରହିଛି । ଦୁଇପାଳିର ବିଜେପି ସରକାରକୁ ହଟାଇବାକୁ ୨୬ଟି ବିରୋଧୀଦଳ ଏକାଠି ହୋଇଛନ୍ତି । ସେହିଭଳି ବିରୋଧୀଦଳଙ୍କ ମେଣ୍ଟକୁ ଦେଖି ବିଜେପି ପୁଣି ଏନଡିଏକୁ ମଜବୁତ କରିବାକୁ ପ୍ରୟାସ ଆରମ୍ଭ କରିଛି । ଆଜି ବିରୋଧୀ ମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଶେଷ ହୋଇଛି । ସେପଟେ ଏନଡିଏ ବୈଠକ ଆରମ୍ଭ ହୋଇଛି ।

ଏସବୁ ଭିତରେ ବିରୋଧୀ ମେଣ୍ଟର ନୂଆ  ନାମକୁ ନେଇ ଲାଗି ରହିଥିବା ଚର୍ଚ୍ଚାର ପରିସମାପ୍ତି ଘଟିଛି । ବିଜେପି ବିରୋଧୀମେଣ୍ଟର ନାମ ପ୍ରଥମେ ୟୁପିଏ ଥିଲା । ଏହାପରେ ପାଟନା ବୈଠକରେ କଥା ଉଠିଥିଲା କି ଏହି ମେଣ୍ଟର ନାମ ପିଡିଏ ବା ପାଟ୍ରୋଟିକ୍ ଡେମୋକ୍ରାଟିକ୍ ଏଲାଏନ୍ସ ବା ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ମେଣ୍ଟ ରଖାଯିବ । ହେଲେ ସବୁ କଳ୍ପନାର ଶେଷ ହୋଇଛି । ବେଙ୍ଗାଲୁର ବୈଠକରେ ବିରୋଧୀମେଣ୍ଟର ନାମ ଇଣ୍ଡିଆ ବୋଲି ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ହେଲେ ଏହି ନାମ ରଖିବାକୁ ମମତା ବାନାର୍ଜୀ ପରାମର୍ଶ ଦେଇଥିବା କଥା କୁହାଯାଉଛି ।

ବିରୋଧୀ ମେଣ୍ଟର ନାମ ଇଣ୍ଡିଆ ବା Indian National Devlopmental Inclusive Allianceର ଅର୍ଥ ହେଉଛି ଭାରତୀୟ ରାଷ୍ଟ୍ରୀୟ ବିକାଶଶୀଳ ସମାବେଶୀ ମେଣ୍ଟ । ଏହି ନାମ ଘୋଷଣା ହେବା ପରେ ପ୍ରିୟଙ୍କା ଚର୍ତୁବେଦୀ ଏକ ଟ୍ୱିଟ କରିଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ଏବେ ଲଢେଇ ଏନଡିଏ ବନାମ ଇଣ୍ଡିଆ ମଧ୍ୟରେ ହେବାକୁ ଯାଉଛି । ସେହିଭଳି ମଣିକମ୍ ଟାଗେ।ର ତାଙ୍କ ଟ୍ୱିଟରେ ଇଣ୍ଡିଆ ୱିଲ ୱିନ୍ ବା ଭାରତ ବିଜୟୀ ହେବାକୁ ଯାଉଛି ବୋଲି ଲେଖିବା ସହ ଟ୍ୱିଟରରେ ଭାରତ ମାନଚିତ୍ରର ଫଟୋ ସେୟାର କରିଛନ୍ତି ।