ସୁନ୍ଦରଗଡ ଲେଫ୍ରିପଡା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ, ଝିଅକୁ ମାରି ମାଆ ପାଖକୁ ଠିକଣା ପଠାଇଥିଲା ହତ୍ୟାକାରୀ

624

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ । ଝିଅର ହତ୍ୟା ପରେ ମାଆଙ୍କୁ ହ୍ୱାଟ୍ସ ଆପରେ ହତ୍ୟାକାଣ୍ଡର ଲୋକେସନ୍ ପଠାଇଥିଲା ହତ୍ୟାକାରୀ । ଯୁବତୀଙ୍କ ସହ ତାଙ୍କ ପୁରୁଷ ବନ୍ଧୁ ନୟନଙ୍କୁ ମଧ୍ୟ ହତ୍ୟା କରି ଫିଙ୍ଗି ଦେଇଥିବା ମେସେଜ ଦେଇଛି ହତ୍ୟାକାରୀ । ମୃତ ଯୁବତୀଙ୍କ ମାଆ ଶାନ୍ତି କାଲୋଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ହ୍ୱାଟ୍ସ ଆପ୍ ମେସେଜ ଆସିଥିଲା । ହେଲେ ଏହାକୁ ଅଣଦେଖା କରିଥିଲେ ମାଆ । କିନ୍ତୁ ଆଜି ସକାଳ ଝିଅର ମୃତଦେହ ମିଳିବା ପରେ ନୟନଙ୍କୁ ଅଟକ ରଖିଛି ପୁଲିସ । ଏନେଇ ଖବର ମିଳିବା ପରେ ପୁଲିସକୁ ମେସେଜ ସବୁ ଦେଖାଇଛନ୍ତି ଶାନ୍ତି କାଲୋ । ତେବେ ନୟନଙ୍କୁ ହତ୍ୟା କରାଯାଇଥିବା ମେସେଜ ଆସିଥିଲା । କିନ୍ତୁ ସେ ଜୀବିତ ଥିବା ବେଳେ ପୁଲିସ ପାଖରେ ଅଟକ ଅଛି । ତେଣୁ ନୟନ ଓ ତା ସହଯୋଗୀ ମିଶି ସ୍ନିଗ୍ଧାଙ୍କୁ ହତ୍ୟା କରି ତାଙ୍କ ମାଆଙ୍କୁ ମେସେଜ କରିଥିବା ସନ୍ଦେହ କରାଯାଉଛି । ତେବେ ଖବର ଅନୁସାରେ, ଗତକାଲି ଟିକିଲିପଡା ଘରୁ ସଂପର୍କୀୟ ଭାଇଙ୍କ ସହ ଅଫିସ ଯିବା ପାଇଁ ବାହାରିଥିଲେ ସ୍ନିଗ୍ଧା । ଲେଫ୍ରିପଡାରେ କାମ ଅଛି କହି, ଭାଇଙ୍କୁ ଘରକୁ ପଠାଇ ଦେଇଥିଲେ । ହେଲେ ସେ ଲେଫ୍ରିପଡାରୁ ନିଜ ଭଡା ଘରକୁ ଯାଇନଥିଲେ କି ଅଫିସକୁ ମଧ୍ୟ ଯାଇନଥିଲେ । ସ୍ନିଗ୍ଧା ଭଡା ଘରକୁ ନଯିବାରୁ ଘର ମାଲିକ, ତାଙ୍କ ମାଆଙ୍କୁ ଫୋନ କରି ଜଣାଇଥିଲେ । ଏହାପରେ ପରିବାର ଲୋକ ଝିଅଙ୍କୁ ଖୋଜାଖୋଜି କରିଥିଲେ, କିନ୍ତୁ କିଛି ସୂଚନା ନମିଳିବାରୁ ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ମୃତ ସ୍ନଗ୍ଧାଙ୍କ ମାଆ ଶାନ୍ତି କାଲୋଙ୍କୁ ମେସେଜ ଆସିଥିବା ବେଳେ ଆଜି ସକାଳୁ ବେଲସରିଆପଡାରୁ ଝିଅର ମୃତଦେହ ଉଦ୍ଧାର କରାଯାଇଛି । ଏବଂ ସ୍ନିଗ୍ଧାଙ୍କ ପୁରୁଷ ବନ୍ଧୁଙ୍କୁ ପୁଲିସ ଅଟକ ରଖିଛି ।