ଜାଣନ୍ତୁ ବାଇଡ଼େନଙ୍କ ହାତକୁ ଶାସନ ଭାର ଗଲେ କେମିତି ରହିବ ଭାରତ-ଆମେରିକା ସମ୍ପର୍କ ? ପୂର୍ବରୁ ଟ୍ରମ୍ପ୍ ଶାସନରେ କେମିତି ଥିଲା ସମ୍ପର୍କ ?

232

କନକ ବ୍ୟୁରୋ : ଆମେରିକାରେ ବାଇଡେନ୍ ଶାସନ ଆରମ୍ଭ ହେବାପରେ ଭାରତ ସହିତ କିଭଳି ସଂପର୍କ ରହିବ, ତାକୁ ନେଇ ପ୍ରଶ୍ନ ଉଠୁଛି । ଦ୍ୱିପାକ୍ଷିକ ବାଣିଜ୍ୟିକ ସଂପର୍କ, ଏଚ-୧ ବି ଭିସା, ଆମେରିକାରେ ଭାରତୀୟଙ୍କୁ ମିଳୁଥିବା ନିଯୁକ୍ତି, ପ୍ରତିରକ୍ଷା ସହଭାଗିତା, ପାକିସ୍ତାନକୁ ନେଇ ଆମେରିକାର ଆଭିମୁଖ୍ୟ ଏବଂ ବାଇଡେନ ପ୍ରଶାସନର ଚୀନ ରଣନୀତି ଉପରେ ନିର୍ଭର କରୁଛି ଭାରତ ସହିତ ନୂଆ ସରକାରଙ୍କ ସଂପର୍କ ।

ଟ୍ରମ୍ପ ପ୍ରଶାସନରେ ଭାରତ ସହିତ ବ୍ୟବସାୟିକ ସଂପର୍କ ସେତେଟା ଭଲ ନଥିଲା । କାରଣ ଆମେରିକାକୁ ରପ୍ତାନି ସାମଗ୍ରୀ ଉପରେ ଉଚ୍ଚ ଟାରିଫ ବସାଇଥିଲା ଟ୍ରମ୍ପ ପ୍ରଶାସନ ।

ବାଇଡେନ କିନ୍ତୁ ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟିକ ସଂପର୍କକୁ ଗୁରୁତ୍ୱ ଦେଇଆସିଛନ୍ତି । ଦୁଇଦେଶ ମଧ୍ୟରେ ଟ୍ରେଡ ଡିବକୁ ୫ଶହ ଅରବ ଡଲାରରେ ପହଂଚାଇବାକୁ କହୁଛନ୍ତି  ।

ଏଚ-୧ ବି ଭିସା ଏବଂ ଇମିଗ୍ରେସନକୁ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ ଖୁବ କଡା ରହିଥିଲା । ଆମେରିକୀୟଙ୍କୁ ଅଧିକ ରୋଜଗାର ଦେବାପାଇଁ ବାହାରୁ ଆସୁଥିବା ଲୋକଙ୍କ ନିଯୁକ୍ତି କମ କରିବାକୁ ପଦକ୍ଷେପ ନେଇଥିଲେ ।

ବାଇଡେନ କିନ୍ତୁ ଏହି ପ୍ରସଙ୍ଗରେ ଉଦାର ନୀତି ଗ୍ରହଣ କରିପାରନ୍ତି । ଏଚ-୧ ବି ଭିସା ସଂଖ୍ୟା ବଢାଇବା ସହିତ ଏଥିରେ ଥିବା କଠୋର ନିୟମକୁ ପରିବର୍ତ୍ତନ କରିପାରନ୍ତି ।

ଜର୍ଜ ବୁସଙ୍କ ପରେ ଗତ ୧୪ବର୍ଷ ହେଲା କେହି ଆମେରିକା ରାଷ୍ଟ୍ରପତି ପାକିସ୍ତାନ ଗସ୍ତ କରିନାହାନ୍ତି । ଓବାମାଙ୍କ ଶାସନ କାଳରେ ଆମେରିକା ପାକିସ୍ତାନରେ ପଶି ଲାଡେନକୁ ମାରିଥିଲା । ଟ୍ରମ୍ପ ପାକିସ୍ତାନ ଉପରେ ଅନେକ ଆର୍ଥିକ କଟକଣା ଲଗାଇଥିଲେ ।

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଭାରତରେ ସିଏଏ ଏବଂ ଏନଆରସି ଭଳି ଆଇନ ବିରୋଧରେ ମତ ରଖିଆସିଛନ୍ତି ବାଇଡେନ୍ । ତେଣୁ ଆଶଙ୍କା କରାଯାଉଛି ପାକିସ୍ତାନ ପ୍ରତି କୋହଳ ମନୋଭାବ ଦେଖାଇ ପାରନ୍ତି ବାଇଡେନ୍ ।

ଭାରତ-ଆମେରିକା ସଂପର୍କରେ ଚୀନର ଏକ ବଡ ଭୂମିକା ରହିଛି । ଟ୍ରମ୍ପ ପ୍ରଶାସନ ଚୀନ ବିରୋଧରେ ମଧ୍ୟ କଡା ଆଭିମୁଖ୍ୟ ରଖିଆସିଥିଲା ।

ଚୀନ ସହିତ ଭାରତର ସୀମା ବିବାଦ ଆଜିଯାଏଁ ସେମିତି ରହିଛି । ତେଣୁ ଚୀନ ପ୍ରତି ବାଇଡେନ ନରମ ମନୋଭାବ ରଖିଲେ ଏହା ଭାରତକୁ ପସନ୍ଦ ଆସିବ ନାହିଁ ।

୨୦୧୩ରେ ମୁମ୍ବାଇ ଗସ୍ତ ସମୟରେ ଜୋ ବାଇଡେନ୍ କହିଥିଲେ ଯେ, ଭାରତ ସହିତ ତାଙ୍କର ସଂପର୍କ ରହିଛି । କାରଣ ଏଠାରେ ତାଙ୍କ ପୂର୍ବ ପୁରୁଷ ରହୁଥିଲେ । ସେତେବେଳେ ଓବାମା ପ୍ରଶାସନରେ ଆମେରିକାର ଉପରାଷ୍ଟ୍ରପତି ଥିଲେ ବାଇଡେନ୍ । ଏବେ ସେ ଦେଶର ସର୍ବୋଚ୍ଚ ନେତା ଆସନରେ ବସିବାକୁ ଯାଉଛନ୍ତି । ତେଣୁ ତାଙ୍କ ଶାସନରେ ଭାରତ-ଆମେରିକା ସଂପର୍କ ନୂଆ ଶିଖର ଛୁଇଁବ ବୋଲି ଆକଳନ କରାଯାଉଛି ।