ଉମରକୋଟରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭି.କେ ପାଣ୍ଡିଆନ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଭଲ ସ୍ଥାନରେ ଆଦିବାସୀ ଭାଇଭଉଣୀ, ଏତେ ସଂଖ୍ୟାରେ ସଭାକୁ ଆସୁଥିବାରୁ ରାଗୁଛନ୍ତି ବିରୋଧୀ । 

107

କନକ ବ୍ୟୁରୋ : ଉମରକୋଟରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାମକୁ ଆହୁରି ଜୋରଦାର କରିବାକୁ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ । ଏହାସହ ମଞ୍ଚ ଉପରେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ପଛାଇ ନାହାନ୍ତି । ଏତେ ସଂଖ୍ୟାରେ ଲୋକେ ସଭାକୁ ଆସୁଥିବା ଦେଖି ବିରୋଧୀଙ୍କର ନିଦ ହଜି ଯାଉଥିବ ବୋଲି କହିଛନ୍ତି ପାଣ୍ଡିଆନ । ଆଦିବାସୀ ଭାଇ ଭଉଣୀ ମାନେ ନବୀନଙ୍କୁ କାହିଁକି ଏତେ ଭଲ ପାଉଛନ୍ତି ବୋଲି ବିରୋଧୀ ରାଗୁଛନ୍ତି ।

ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ପାଣ୍ଡିଆନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ହୃଦୟ ବିଶାଳ ହୃଦୟ । ସେହି ବିଶାଳ ହୃଦୟର ଭଲ ସ୍ଥାନରେ ରହିଛନ୍ତି ଆଦିବାସୀ ଭାଇ ଭଉଣୀ । ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ପରିଚୟକୁ ସୁରକ୍ଷିତ ରଖିବାକୁ ନବୀନ ଏସଡିସି ଗଠନ କରିଛନ୍ତି । ଜନଜାତି ଭାଇଭଉଣୀଙ୍କ ଉପରେ ଥିବା ୫୦ ହଜାରରୁ ଅଧିକ ମାମଲାକୁ ରଦ୍ଦ କରିଛନ୍ତି ନବୀନ  । ଆଦିବାସୀ ଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ କରିଛନ୍ତି ନବୀନ, ଇଂରାଜୀ ମିଡିୟମରେ ପାଠ ପଢିବାକୁ ଆକାଂକ୍ଷା ଓ ଅନ୍ୱେଷା ଭଳି ଯୋଜନା କରିଛନ୍ତି । ଆଦିବାସୀଙ୍କ ଆଶୀର୍ବାଦରେ ଓଡ଼ିଶାରେ ସ୍ଥିର ସରକାର ରହିଛି ।

ବିକାଶ ପାଇଁ ଶାନ୍ତି ଜରୁରୀ । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ଦେଖିବାକୁ ମିଳିଛି । ମେ’ ୧୩ ତାରିଖରେ ଖରା ହେଉ କି ବର୍ଷା ହେଉ ଭୋଟକେନ୍ଦ୍ରକୁ ଆସିବେ ନବୀନଙ୍କ ହାତ ମୁଠାକୁ ଟାଣ କରିବେ ବୋଲି ଆଦିବାସୀ ଭାଇ ଭଉଣୀଙ୍କୁ ଅପିଲ କରିଛନ୍ତି ପାଣ୍ଡିଆନ ।