ପ୍ରତିଶ୍ରୁତି ପରେ ବି ମଣ୍ଡିରୁ ଉଠିଲାନି ଧାନ : ପଦ୍ମପୁର ଉପଖଣ୍ଡ ୭୦ ମଣ୍ଡିରେ ପଡିରହିଛି ଲକ୍ଷ ଲକ୍ଷ ବସ୍ତା ଧାନ; ସରିଯାଉଛି ଟୋକନ ଅବଧି, ଚାଷୀ ହତାଷ

ଆଗକୁ ଉଠାଣ ନ ହେଲେ ପୁଣି ଆନ୍ଦୋଳନ ଧମକ

54

କନକ ବ୍ୟୁରୋ : ଟାର୍ଗେଟ ନାହିଁ , ବିକ୍ରି ନ ହୋଇ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଭିନ୍ନ ମଣ୍ଡିରେ ପଡି ରହିଛି ବସ୍ତା ବସ୍ତା ଧାନ । ପଦ୍ମପୁର ଉପଖଣ୍ଡରେ ୭୦ ଧାନ ମଣ୍ଡିରେ ପ୍ରାୟ ୧୫ ଲକ୍ଷ ବସ୍ତା ଧାନ ପଡିରହିଛି । ଗତ ସୋମବାର ଧାନ ଉଠାଣ ହେଉନଥିବା ପ୍ରତିବାଦରେ ବରଗଡ ପଦ୍ମପୁର ରାଜପଥକୁ ଅବରୋଧ କରିଥିଲେ ଚାଷୀ । ସେଠାରେ ଉପଜିଲ୍ଲାପାଳ ଓ ସହକାରୀ ଯୋଗାଣ ଅଧିକାରୀ ପଂହଚି ଚାଷୀଙ୍କୁ ତିନିଦିନ ଭିତରେ ଧାନ ବିକ୍ରି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜିସୁଦ୍ଧା ମଣ୍ଡିରେ ଧାନ ବିକ୍ରି ଆରମ୍ଭ ହୋଇପାରି ନାହିଁ ।

ସେପଟେ ମଣ୍ଡିରେ ଖୋଲା ଆକାଶ ତଳେ ପଡି ରହି ବସ୍ତା ବସ୍ତା ଧାନ ନଷ୍ଟ ହେଉଛି । ଟୋକନ ପାଇ ମଣ୍ଡିକୁ ଆସିଥିବା ଚାଷୀଙ୍କ ଟୋକନ ଅବଧି ସରିଯାଉଛି ସିନା ଧାନ ବିକ୍ରି ହୋଇପାରୁ ନାହିଁ । ସ୍ଥିତି ଏପରି ହେଉଛି ଯେ ମଣ୍ଡିରେ ବହୁ ଚାଷୀଙ୍କ ଧାନ ପଡି ରହିଥିବାରୁ ଜାଗା ନଥିବାରୁ ଅନ୍ୟ ଚାଷୀ ମଣ୍ଡିକୁ ନିଜ ଧାନ ଆଣି ପାରୁନାହାନ୍ତି । ଏସବୁ ସମସ୍ୟାକୁ ନେଇ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶୀଘ୍ର ଧାନ କିଣା ନଗଲେ ସରକାରୀ କାର୍ଯ୍ୟାଳୟ ଅଚଳ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।