ହ୍ୱାଇଟ ହାଉସ ପ୍ରବେଶ ପୂର୍ବରୁ ବ୍ଲେୟାର ହାଉସରେ ରାତି କାଟିଲେ ବାଇଡେନ୍ : ଆଜି କ୍ୟାପିଟାଲ୍ ହିଲରେ ହେବ ଶପଥ ସମାରୋହ

80

କନକ ବ୍ୟୁରୋ : ହ୍ୱାଇଟ ହାଉସକୁ ପ୍ରବେଶ ପୂର୍ବରୁ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଆମେରିକା ଫାଷ୍ଟଲେଡି ଡକ୍ଟର ଜିଲ ବାଇଡେନ୍ ବ୍ଲେୟାର ହାଉସରେ ରାତି ବିତାଇଛନ୍ତି । ବୁଧବାର ସକାଳୁ ବାଇଡେନ୍ ୱାସିଂଟନସ୍ଥିତ ସେଂଟ ମାଥ୍ୟୁସ ଚର୍ଚ୍ଚରେ ପ୍ରାର୍ଥନା କରିବେ । ଏଠାରେ ଉଭୟ ଦଳର କିଛି ସିନେଟର ଓ କଂଗ୍ରେସ ସଦସ୍ୟ ଉପସ୍ଥିତ ରହିବେ । ଏହାପରେ କ୍ୟାପିଟାଲ୍ ହିଲରେ ହେବ ଶପଥ ସମାରୋହ । ପ୍ରଥମେ ଉପରାଷ୍ଟ୍ରପତି କମଲା ହାରିସ ଶପଥ ନେବେ । ପରେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍ ।

ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଆଗାମୀ ୪ବର୍ଷ ପାଇଁ ଆମେରିକାକୁ ନେଇ ତାଙ୍କ ଭିଜନ୍ ରଖିବେ ନବନିର୍ବାଚିତ ରାଷ୍ଟ୍ରପତି । ଏହାପରେ ପରିବେଷଣ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଜାତୀୟ ସଂଗୀତ ଗାନ କରିବେ ଲେଡି ଗାଗା । ଜେନିଫର ଲୋପେଜ ମଧ୍ୟ ସଂଗୀତ ଭିତିକ କାର୍ଯ୍ୟକ୍ରମରେ ଭାଗନେବେ । ଲେଡି ଗାଗାଙ୍କ ବ୍ୟତୀତ ଜଷ୍ଟିନ ଟିମ୍ବରଲେକ୍, ଡେମି ଲୋବାଟୋ, ଗାର୍ଥ ବ୍ରୁକ୍ସ, ଜନ ଲିଣ୍ଡଜଙ୍କ ପରି ପ୍ରଖ୍ୟାତ କଳାକାର ମଧ୍ୟ ସାଂସ୍କୃିତକ କାର୍ଯ୍ୟକ୍ରମରେ ସାମିଲ ହେବେ । ୯୦ ମିନିଟ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ନାଁ ରଖାଯାଇଛି ସେଲିବ୍ରେଟିଂ ଆମେରିକା । କ୍ୟାପିଟାଲ୍ ହିଲରୁ ହ୍ୱାଇଟ ହାଉସ ଯାଏଁ ହେବାକୁ ଥିବା ପବ୍ଲିକ ପରେଡକୁ ଏଥର ବାତିଲ କରିଦିଆଯାଇଛି । ଏହା ପରିବର୍ତ୍ତେ ଏକ ଭର୍ଚୁଆଲ ପରେଡର ଆୟୋଜନ କରାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ବାଦ ହଲିଉଡ ଅଭିନେତା ତଥା କମେଡିଆନ ଟମ ହାଙ୍କସ ମଧ୍ୟ ଏକ ସ୍ୱତନ୍ତ୍ର ଟି ସୋକୁ ହୋଷ୍ଟ କରିବେ ।

ଆମେରିକା ସମୟ ଦିନ ୧୧ଟାରୁ ଆରମ୍ଭ ହେବ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ସମାରୋହ । ଅର୍ଥାତ ଭାରତୀୟ ସମୟ ରାତି ସାଢେ ୯ଟାରେ ଆରମ୍ଭ ହେବ ଉତ୍ସବ । ଆମେରିକାର ତମାମ ଟେଲିଭିଜନ ନେଟୱର୍କ- ସିଏନଏନ, ଫକ୍ସ, ଏବିସି ଓ ଏନବିସିରେ ଶପଥ ସମାରୋହର ସିଧାପ୍ରସାରଣ କରାଯିବ । ଏହାବାଦ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଏହାକୁ ଦେଖିହେବ । ହ୍ୱାଇଟ ହାଉସର ସରକାରୀ ୱେବସାଇଟ- ବାଇଡେନ ଇନାଗୁରାଲ କମିଟିର ୟୁ-ଟ୍ୟୁବ ଚ୍ୟାନେଲ ମଧ୍ୟ ସିଧା ପ୍ରସାରଣ କରିବ ।