ପ୍ରଫେଟ ବିରୋଧୀ ବୟାନକୁ ନେଇ ଥମୁନି ହିଂସା। ଜରୁରୀବୈଠକ ଡକାଇଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ।

189

କନକ ବ୍ୟୁରୋ: ପ୍ରଫେଟ ମହମ୍ମଦଙ୍କ ବିରୋଧୀ ବୟାନ ଘଟଣାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ହିଂସା ଓ ଉତ୍ତେଜନା ଘନେଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀଠୁ ନେଇ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଝାରଖଣ୍ଡ, ପରି ଅନେକ ରାଜ୍ୟରେ ଘଟୁଛି ହିଂସକ ଘଟଣା । ଶନିବାର ପଶ୍ଚିମବଙ୍ଗ ଓ ଝାରଖଣ୍ଡର ବିଭିନ୍ନ ସ୍ଥାନରେ ମାଡପିଟ, ପୋଡାଜଳା ଘଟଣାରେ ସ୍ଥିତି ବିଗିଡିବାରେ ଲାଗିଛି । ପ୍ରୟାଗରାଜ. ହାୱଡା ଓ ରାଞ୍ଚିର ସ୍ଥାନେସ୍ଥାନେ ବ୍ୟାପକ ଭଙ୍ଗାରୁଚା ଘଟଣାର ଚିତ୍ର ସାମ୍ନାକୁ ଆସିଛି । ଯେଉଁ ସ୍ଥାନରେ ହିଂସା ଉପଜିଛି ସେହି ସବୁ ସ୍ଥାନକୁ କଡ଼ା ସୁରକ୍ଷା ଭିତରେ ରଖିବାକୁ ଚେଷ୍ଟା କରାଯାଉଛି ।

ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସହରରେ କର୍ଫ୍ୟୁ ଓ ୧୪୪ ଧାରା ଲାଗୁ କରାଯାଇଛି । ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ସ୍ଥାନେ ସ୍ଥାନେ ସଂର୍ଘଷ ଜାରି ରହିଛି । ଉପଦ୍ରବୀମାନେ ପୁଲିସ ଉପରକୁ ପଥରମାଡ କରୁଥିବାବେଳେ ଏହାର ପାଲଟା ଜବାବରେ ଲାଠିଚାର୍ଜ କରାଯାଉଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ବ୍ୟବହାର କରାଯାଇଛି ।

ହାୱାଡରେ ହିଂସା ଓ ଦଙ୍ଗା ରୋକିବାକୁ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି । ଏବେ ସୁଦ୍ଧା ୮୦ଜଣଙ୍କ ଗିରଫ କରାଯାଇଛି । ୧୩ ତାରିଖ ପର୍ଯ୍ୟନ୍ତ ଏଠାରେ ଇଂଟରନେଟ ସେବା ଉପରେ କଟକଣା ଲାଗୁ କରାଯାଇଛି । ରାଞ୍ଚିରେ ମଧ୍ୟ ବ୍ୟାପକ ହିଂସାକାଣ୍ଡ ଘଟିଛି । ଏଠାରେ ୧୨ ତାରିଖ ପର୍ଯ୍ୟନ୍ତ ଇଂଟରନେଟ ସେବା ବନ୍ଦ କରାଯାଇଛି । ୧୩ଟି ଥାନା ଅଂଚଳରେ ୧୪୪ ଧାରା ଲାଗୁ କରାଯାଇଛି । ସିସିଟିଭି ଫୁଟେଜ ଆଧାରରେ ଅପରାଧିଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଛି । ଶୁକ୍ରବାର ନମାଜ ପାଠ ପରେ ବିଭିନ୍ନ ସହରରେ ସଂଖ୍ୟାଲଘୁ ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ଗିରଫ ଦାବି କରି ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ । ବିକ୍ଷୋଭ କ୍ରମଶ ଉଗ୍ର ହେବା ସହ ବଡ ଧରଣର ହିଂସକ ପ୍ରଦର୍ଶନର ରୂପ ନେଇଛି ।