ଧୀରେ ଧୀରେ ଅନୁକୂଳ ହେଉଛି ପାଗ । ଆସନ୍ତା ସପ୍ତାହରେ ଓଡ଼ିଶା ଛୁଇଁପାରେ ମୌସୁମୀ

208

କନକ ବ୍ୟୁରୋ: କିଛି ଦିନ ହେଲା ପଶ୍ଚିମ ଓଡ଼ିଶାରେ ତାତି ଓ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳିରେ ତ୍ରାହି ତ୍ରାହି ଡାକୁଥିବା ଓଡ଼ିଶାବାସୀଙ୍କ ପାଇଁ ଆସିଲା ଆଶ୍ୱସ୍ତି କଲା ଭଳି ଖବର । ପାଣିପାଗ ବିଭାଗ ଆକଳନ କରିଛି, ମୌସୁମୀ ବାୟୁ ଓଡ଼ିଶା ପହଁଚିବା ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଛି । ଜୁନ ୧୫ କିମ୍ବା ୧୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶ ଛୁଇଁପାରେ ।

ପାଣିପାଗ ବିଭାଗ ଜାରି କରିଥିବା ମୌସୁମୀ ବାୟୁ ଗତିପଥର ରେଖାଚିତ୍ରରେ ପୂର୍ବରୁ ଆକଳନ କରାଯାଇଥିଲା, ଜୁନ ୧୦ ତାରିଖରେ ଓଡ଼ିଶା ନିକଟବର୍ତି ହୋଇଥାନ୍ତା ମୌସୁମୀ ବାୟୁ । ହେଲେ ଏ ନେଇ ପାଗ ଅନୁକୂଳ ନହେବାରୁ ଏଥିରେ ବିଳମ୍ବ ହୋଇଛି ।

  • ରାଜ୍ୟରେ ପ୍ରାକ୍-ମୌସୁମୀର ପ୍ରଭାବ ଆରମ୍ଭ
  • ଆସନ୍ତା ୪ ଦିନ ମଧ୍ୟରେ ୩ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିପାରେ ତାପମାତ୍ରା

ଗତ କିଛି ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଗତ ଦୁଇ ଦିନ ହେଲା ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିଛି । ଆଗାମୀ ୫ ଦିନ ଯାଏଁ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବାରୁ ତାପମାତ୍ରା ଅପେକ୍ଷାକୃତ କମ୍ ରହିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ଅଧିକ ରହିଛି । ଆସନ୍ତା ୨୪ ଘଣ୍ଟାରେ ଗଂଜାମ, ଗଜପତି, ପୁରୀ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ଭଦ୍ରକ, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲା ଓ ଅନ୍ୟ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।