ଦନ୍ତାହାତୀର ଦାଦାଗିରି । ସକାଳେ ମାରିଲା, ସନ୍ଧ୍ୟାରେ ଫେରି ଶବକୁ ଦଳିଲା

176

କନକ ବ୍ୟୁରୋ: ଗାଁ ଭିତରକୁ ପଶି ଆସିଲା ଦନ୍ତାହାତୀ । ଆଉ ଦନ୍ତାର ଶୀକାର ହେଲେ ପାଣି ଆଣିବାକୁ ଯାଉଥିବା ବୃଦ୍ଧା ମାୟା ମୂର୍ମୂ । ଗାଁ ଦାଣ୍ଡରେ ମାୟାଙ୍କୁ ଆକ୍ରମଣ କଲା । ଗୁରୁତର ବୃଦ୍ଧା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କଲେ । ହେଲେ ଏତିକିରେ ଦନ୍ତାର ରାଗ ଶାନ୍ତ ହେଲାନି । ବ୍ୟବଛେଦ ପରେ ସଂଧ୍ୟାରେ ଶବକୁ ନିଜ ବାରିରେ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ପୁଣି ପହଞ୍ଚିଗଲା ଦନ୍ତା । ହାତୀକୁ ଦେଖି ଯିଏ ଯୁଆଡେ ଦୈାଡି ପଳାଇଲେ । ଆଉ ଦନ୍ତାହାତୀ ମାୟାଙ୍କ ଶବକୁ ମଧ୍ୟ ଛାଡିଲାନି । ଶୁଣ୍ଢରେ ଦୁଇଶହ ଫୁଟ ଦୂରକୁ ନେଇ ଶବକୁ ଦଳିଚକଟି ପକାଇଲା । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ରାୟପାଳ ଗ୍ରାମରେ ।

ଏତିକିରେ ସରିନଥିଲା ଦନ୍ତାର ତାଣ୍ଡବ । ରାତିରେ ଆସି ମାୟାଙ୍କ ପରିବାର ଉପରେ ଆରମ୍ଭ କରିଦେଲା ଆକ୍ରମଣ । ଦନ୍ତାର ବିକଟ ରଡି ଶୁଣି ପହଂଚିଯାଇଥିଲେ ହାତୀପଲ । ମୃତକଙ୍କ ଘର ଭାଙ୍ଗିବା ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ମାରି ପକାଇଲେ । ଭୟରେ ପରିବାର ସଦସ୍ୟ ଓ ପଡୋଶୀ ଯିଏ ଯୁଆଡେ ପାରିଲେ ପଳେଇଳେ । ରାତିସାରା ଗାଁରେ ଉତ୍ପାତ କରିଥିଲେ ଏହି ହାତୀପଲ । ଏପରିକି ଜଣେ ମହିଳା ନିକଟରେ ଥିବା ଏକ ୪୦ ଫୁଟର ଗଛରେ ଚଢି ନିଜ ଜୀବନ ବଞ୍ଚାଇଥିଲେ ।

ମୟୁରଭଞ୍ଜରେ ହାତୀ ଆତଙ୍କ କିଛି ନୂଆ ଘଟଣା ନୁହେଁ ।  ଜିଲ୍ଲାର ମୋରଡା, ରାସଗୋବିନ୍ଦପୁର ଓ ବେତନଟୀ ଅଞ୍ଚଳରେ ଏହି ଘଟଣା ବଢିବାରେ ଲାଗିଛି । କିନ୍ତୁ ଗୋଠିଏ ପରିବାର ଉପରେ ଦନ୍ତାହାତୀ ଦଳବଳ ଧରି ଆକ୍ରମଣ କରିବାକୁ ନେଇ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।