ଜ୍ଞାନବାପୀ ମସଜିଦ୍ ବିବାଦ: ସୁପ୍ରିମକୋର୍ଟରେ ଦାୟର ହେଲା ଆଉ ଏକ ଯାଚିକା । ପଢନ୍ତୁ, କଣ କରାଯାଇଛି ଦାବି…

114

କନକ ବ୍ୟୁରୋ: କାଶୀ ବିଶ୍ୱନାଥ ମନ୍ଦିର ଓ ଜ୍ଞାନବାପୀ ମସଜିଦ୍ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ଆଉ ଏକ ଯାଚିକା । ଅଶ୍ୱିନୀ ଉପାଧ୍ୟାୟ ଏହି ଯାଚିକା ଦାୟର କରିବା ସହିତ ତାଙ୍କ ପକ୍ଷର କଥା ମଧ୍ୟ ଶୁଣିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏହି ମାମଲା ସିଧା ତାଙ୍କ ଧାର୍ମିକ ସ୍ୱତନ୍ତ୍ର ଅଧିକାର ସହ ଜଡିତ । ବହୁ ବର୍ଷ ଧରି ସେଠାରେ ଭଗବାନ ଆଦି ବିଶ୍ୱେଶ୍ୱରଙ୍କ ପୂଜା ହୋଇ ଆସୁଛି । ତେଣୁ ଏହି ସମ୍ପତ୍ତି ତାଙ୍କର ଅଟେ । କୌଣସି ବି ପରିସ୍ଥିତିରେ ଏହି ସମ୍ପତ୍ତିର ଅଧିକାର ଛଡାଇ ନିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଥରେ ପ୍ରାଣ ପ୍ରତିଷ୍ଠା ହୋଇଯିବା ପରେ ଏବଂ ମନ୍ଦିରର କିଛି ଅଂଶକୁ ଧ୍ୱଂସ କରିବା ପରେ ମଧ୍ୟ ମନ୍ଦିରର ଧାର୍ମିକ ସ୍ୱରୂପ ପରିବର୍ତ୍ତନ ହୁଏ ନାହିଁ ବୋଲି ସେ କହିଛନ୍ତି । ସେ ଦାୟର କରିଥିବା ମାମଲାରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଇସଲାମିକ୍ ସିଦ୍ଧାନ୍ତ ମୁତାବକ ମନ୍ଦିରକୁ ଭାଙ୍ଗି ଯେଉଁ ସବୁ ମସଜିଦ୍ ନିର୍ମାଣ କରାଯାଇଛି, ତାହା ବୈଧ ମସଜିଦ୍ ନୁହେଁ । ୧୯୯୧ ପ୍ଲେସସ୍ ଅଫ୍ ୱରସିପ୍ ଆକ୍ଟ ଅନୁସାରେ କୌଣସି ଧାର୍ମିକ ସ୍ଥଳର ସ୍ୱରୂପ ନିର୍ଦ୍ଧାରଣ କରିବାକୁ ରୋକାଯାଇପାରିବ ନାହିଁ । ତା ସହିତ ମସିଜିଦ୍ କମିଟିର ଯାଚିକାକୁ ଖାରଜ କରିବାକୁ ସେ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଆଜି ପ୍ରଥମ ଥର ପାଇଁ ଏହି ମାମଲାର ଶୁଣାଣି ଜିଲ୍ଲା ଜଜ୍ ଡକ୍ଟର ଅଜୟ କୃଷ୍ଣଙ୍କ ଅଦାଲତରେ ହେବାକୁ ଯାଉଛି । ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ,ମୋକଦ୍ଦମା ସହ ଜଡିତ ପ୍ରତିଟି ଦଲିଲ୍ ଜିଲ୍ଲା ଜଜଙ୍କ ଅଦାଲତରେ ପହଞ୍ଚି ସାରିଛି ।