କରୋନା କାଳରେ ଖୁସି ଖବର : ଆସୁଛି ପିଲାଙ୍କ ପାଇଁ କରୋନା ଟିକା । ସେରମ ଇନଷ୍ଟିଚ୍ୟୁଟରେ ଆରମ୍ଭ ହେଲା କୋଭାଭାକ୍ସର ଉତ୍ପାଦନ

225

କନକ ବ୍ୟୁରୋ : ଆସୁଛି ପିଲାଙ୍କ ପାଇଁ କରୋନା ଟିକା । ସେରମ ଇନଷ୍ଟିଚ୍ୟୁଟରେ ଆରମ୍ଭ ହେଲା କୋଭାଭାକ୍ସର ଉତ୍ପାଦନ । ଏନେଇ ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦର ପୁନାୱାଲା ସୂଚନା ଦେଇଛନ୍ତି । କହିଛନ୍ତି, ସେପ୍ଟେମ୍ବର ମାସରେ ଭାରତରେ ଉପଲବ୍ଧ ହୋଇପାରେ କୋଭୋଭାକ୍ସ ଟିକା । ଏଥିସହ ଆସନ୍ତା ମାସରୁ ଭାରତରେ ଛୋଟ ପିଲାଙ୍କ ଉପରେ ଏହି ଟିକାର ପରୀକ୍ଷା କରାଯାଇପାରେ ବୋଲି ସୂଚନା ମିଳିଛି ।

ଆମେରିକାର ନୋଭାଭାକ୍ସ ଫାର୍ମା କମ୍ପାନୀ ଦ୍ୱାରା ବିକଶିତ ଏହି ଟିକା ମଧ୍ୟମ ଓ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଶହେ ପ୍ରତିଶତ ପ୍ରଭାବି ବୋଲି ନିର୍ମାତାଙ୍କ ପକ୍ଷରୁ ଦାବି କରାଯାଉଛି । ଏବଂ ମୋଟ ଉପରେ ୯୦ ଦଶମିକ ୪ ପ୍ରତିଶତ ପ୍ରଭାବି ବୋଲି ଦାବି କରାଯାଉଛି । ଏହି ଟିକା କେତେ ପ୍ରଭାବି ତାହା ଜାଣିବା ପାଇଁ ଆମେରିକା , ମେକ୍ସିକୋର ୧୧୯ଟି ସ୍ଥାନରେ ୨୯ ହଜାର ୯୬୦ ଜଣଙ୍କ ଉପରେ ପରୀକ୍ଷା କରାଯାଇଥିଲା । ଏହି ଟିକା ଆସିଲେ ୧୮ବର୍ଷରୁ କମ୍ ବୟସ୍କଙ୍କ ପାଇଁ କରୋନା ବିରୋଧୀ ଲଢ଼େଇରେ ଏକ ପ୍ରମୁଖ ଅସ୍ତ୍ର ହେବ । ଚଳିତ ବର୍ଷ ତୃତୀୟ ତ୍ରୟମାସ ବେଳକୁ ଏହି ଟିକାର ବ୍ୟବହାର ପାଇଁ ଅନୁମତି ମଗାଯିବ । ଭାରତରେ କୋଭିସିଲଡ, କୋଭାକ୍ସିନ, ସ୍ଫୁଟନିକା ଭି ଟିକାକୁ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ୧୮ବର୍ଷରୁ କମ୍ ବୟସ୍କଙ୍କ ବ୍ୟବହାର ପାଇଁ କୌଣସି ଟିକାକୁ ଅନୁମତି ମିଳି ନାହିଁ ।