ରାଜ୍ୟରେ କୋଭିସିଲ୍ଡ ଟିକାର ଘୋର ଅଭାବ : ଆଜି ବାଲେଶ୍ୱର ଓ କେନ୍ଦ୍ରାପଡାରେ ବନ୍ଦ ରହିବ ଟିକାକରଣ

167

କନକ ବ୍ୟୁରୋ : ରାଜ୍ୟରେ କରୋନା ଟିକାର ଘୋର ଅଭାବ ସୃଷ୍ଟି ହୋଇଛି । ବିଶେଷ କରି କୋଭିସିଲ୍ଡ ଟିକାର ଅଭାବ ଦେଖାଦେଇଛି । ମାତ୍ର ୧ ଲକ୍ଷ ୧୩ ହଜାର ୮୩୦ କୋଭିସିଲ୍ଡ ଟିକା ବର୍ତମାନ ରାଜ୍ୟରେ ମହଜୁଦ ଅଛି । ଏହା ସମୁଦ୍ରକୁ ଶଙ୍ଖେ । ତେଣୁ ଟିକାକରଣ ବ୍ୟାପକ ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି । ଆଜି ମାତ୍ର ୪୯୫ଟି ଟିକାକେନ୍ଦ୍ରରେ ଟିକାକରଣ କରାଯିବ । ଟିକା ଅଭାବରୁ ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଟିକାକରଣକୁ ବନ୍ଦ ରଖାଯାଇଛି ।

ଟିକାର ଏପରି ସଂକଟ ନେଇ ସ୍ୱାସ୍ଥ୍ରମନ୍ତ୍ରୀ ନବ ଦାସ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି । ୬ ଲକ୍ଷ କୋଭିସିଲ୍ଡ ଟିକା ତୁରନ୍ତ ପଠାଇବାକୁ ଚିଠି ଲେଖିଛନ୍ତି ନବ ଦାସ । ଜୁନ ୨୧ ତାରିଖରେ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ ଆରମ୍ଭ କରାଯାଇଥିଲା । ଦୈନିକ ୩ ଲକ୍ଷ ଟିକା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ । ହେଲେ ଏହି ଟାର୍ଗେଟ ପଛରେ ପଡି ଯାଇଛି ଓଡ଼ିଶା ।

ଜୁନ ୨୧ ତାରିଖରେ ୧୬୧୩ଟି କେନ୍ଦ୍ରରେ ଟିକା ଦିଆଯାଇଥିଲା । ସେହି ଦିନ ୩ ଲକ୍ଷ ଟପି ଯାଇଥିଲା ଟିକାକରଣ । ହେଲେ ଆଜି ମାତ୍ର ୪୯୫ଟି କେନ୍ଦ୍ରରେ ଟିକାକରଣ ହେବ । ଅର୍ଥାତ ୭୦ ପ୍ରତିଶତ କମ୍ କେନ୍ଦ୍ର ଟିକା ଦିଆଯିବ । ଗୋଟିଏ ପଟେ ରାଜ୍ୟରେ ସଂକ୍ରମଣ ଆଖିଦୃଶିଆ ଭାବେ ହ୍ରାସ ପାଉନାହିଁ । ଅନ୍ୟପଟେ ଟିକାକରଣ ବି ପଛରେ ପଡି ଯାଇଛି ଓଡ଼ିଶା ।