ଉମରକୋଟରେ ଭି.କେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଟାର୍ଗେଟ, କହିଲେ ବିଏସକେୱାଇ ଓ ମିଶନ ଶକ୍ତିକୁ ବନ୍ଦ କରିବାକୁ କରୁଛନ୍ତି ଉଦ୍ୟମ ।

209

କନକ ବ୍ୟୁରୋ : ଉମରକୋଟରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିରୋଧୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ କରିଛନ୍ତି ଭି.କେ ପାଣ୍ଡିଆନ । ଗତ ନିର୍ବାଚନ ସମୟରେ ଜଣେ କେନ୍ଦ୍ରମନ୍ତ୍ରୀ ଆସିଥିଲେ, ବହୁତ ବଡ ବଡ କଥା କହିଥିଲେ । ଗତ ନିର୍ବାଚନରେ ଆପଣଙ୍କ ଆଶୀର୍ବାଦରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । କିନ୍ତୁ ୫ ବର୍ଷରେ କଣ କରିଛନ୍ତି ଟିକେ ଚିନ୍ତା କରନ୍ତୁ । ୫ ବର୍ଷ ନେଲେ, କିନ୍ତୁ କିଛି କାମ କଲେନି । ଯେଉଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭୋଟ ଭିକ୍ଷା କରିଥିଲେ ତାଙ୍କର ଦେଖାଦର୍ଶନ ମିଳିଲାନି । ଉମରକୋଟ, ପାପଡାହାଣ୍ଡିରେ କେନ୍ଦ୍ରୀୟ ସ୍କୁଲଟିଏ ଖୋଲିପାରିଥାନ୍ତେ କିନ୍ତୁ କଲେ ନାହିଁ । ଏବେ ପୁଣି ଭୋଟ ମାଗିବାକୁ ଆସିଲେ ପଚାରିବେ ୫ ବର୍ଷ କେଉଁଠି ଥିଲେ ।

ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ପୂର୍ବରୁ ଜିଲ୍ଲାୱାରୀ ଗସ୍ତ ବେଳେ ଏଠାକୁ ଆସିଥିଲି । ସେତେବେଳେ ଅନେକ ଅଭିଯୋଗଫର୍ଦ୍ଦ ପାଇଥିଲି, କେତେ କାମ ହୋଇଛି କି ନାହିଁ ତାହାର ହିସାବ ଧରିକି ଆସିଛି । ଦରଖାସ୍ତ ପାଇବା ପରେ ଏହି ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ୨୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଯେଉଁ ସମସ୍ୟା ଜଣାଇଥିଲେ ତାହାକୁ ପୂରା କରିଛୁ । ବିଏସକେୱାଇରେ ଲୋକମାନେ ଚିକିତ୍ସା ସୁବିଧା ପାଇବା ବିଜେପିର ଜଣେ କେନ୍ଦ୍ରମନ୍ତ୍ରୀ ସହିପାରୁନାହାନ୍ତି । ଏହାଦ୍ୱାରା ନବୀନ ପଟ୍ଟନାୟକ ନାଁ କମାଉଛନ୍ତି ବୋଲି ଏହାକୁ ବନ୍ଦ କରିବାକୁ ଦିନରାତି ଏକ କରି ଦେଇଛନ୍ତି ।  ମିଶନ ଶକ୍ତିକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଲାଗିଛନ୍ତି । ନାମାଙ୍କନପତ୍ର ଦାଖଲ ପୂର୍ବରୁ ମିଶନ ଶକ୍ତି ମହିଳା ଦୁବାଇ ଗସ୍ତରେ ଯାଇ ବ୍ୟବସାୟ ବାବଦରେ ଅଧିକ ଜାଣିଥାନ୍ତେ କିନ୍ତୁ ଏହାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ବନ୍ଦ କରାଇଲେ । ଲୋକେ ଯାହା ସମସ୍ୟା ଜଣାଉଛନ୍ତି ତାହା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରା କରାଯାଉଛି । ୫ ବର୍ଷ ପରେ ପୁଣିଥରେ ସୁଯୋଗ ଆସିଛି ।ଏଥର ଅଞ୍ଚଳର ବିକାଶ ଓ ଉନ୍ନତି ପାଇଁ ଡବଲ ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଛନ୍ତି ଭିକେ ପାଣ୍ଡିଆନ ।