କୋଭିସିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ବଢିଲେ ଶରୀରରେ ସୃଷ୍ଟି ହେବ ଅଧିକ ଆଂଟିବଡି : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକ କହିଲେ, ଦ୍ୱିତୀୟ ଡୋଜ ନେବାକୁ ୪୫ ସପ୍ତାହ ବିଳମ୍ବ କଲେ ବଢିବ ରୋଗ ପ୍ରତିରୋଧ ଶକ୍ତି

398

କନକ ବ୍ୟୁରୋ : କୋଭିସିଲ୍ଡ ଟିକାର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ହେଲେ, ଶରୀରରେ ଅଧିକ ଆଂଟିବଡି ସୃଷ୍ଟି ହେବ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜଣେ ଗବେଷକ କହିଛନ୍ତି, କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ନେବାକୁ ୪୫ ସପ୍ତାହ ବିଳମ୍ବ କଲେ ଅଧିକ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବ । ଏହା ସହ ସେ ତୃତୀୟ ଡୋଜ୍ ସପକ୍ଷରେ ମଧ୍ୟ ସେ ମତ ଦେଇଛନ୍ତି । ଅକ୍ସଫୋର୍ଡ ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ, ତୃତୀୟ ଡୋଜ୍ ଟିକା ନେଲେ ଶରୀରରେ ଯଥେଷ୍ଟ ପରିମାଣର ଆଂଟିବଡି ସୃଷ୍ଟି ହେବ ।

ଟିକାର ଅଭାବକୁ ଦୃଷ୍ଟିରେ ରଖି ଭାରତ ସମେତ ଅନେକ ଦେଶ ଟିକାର ଦୁଇ ଡୋଜ୍ ଟିକା ମଧ୍ୟରେ ବ୍ୟବଧାନ ବୃଦ୍ଧି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଦେଖିଲେ ଅକ୍ସଫୋର୍ଡ ଗବେଷଣାର ଗୁରୁତ୍ୱ ରହିଛି । ଭାରତ ସରକାର କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନକୁ ୬ରୁ ୮ ସପ୍ତାହ ପରିବର୍ତେ  ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିଛନ୍ତି । ଏହାର ପ୍ରଭାବ ନେଇ ବିତର୍କ ଚାଲିଥିବା ବେଳେ ଅକ୍ସଫୋର୍ଡର ଗବେଷଣା କିଛି ପରିମାଣରେ ଆଶ୍ୱସ୍ତି ଆଣିଛି । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ବିକଶିତ ହୋଇଥିବା  କରୋନା ଟିକାକୁ କୋଭିସିଲ୍ଡ ନାଁରେ ସେରମ୍ ଇନଷ୍ଟିଚ୍ୟୁଟ ତିଆରି କରୁଛି ।