କଙ୍ଗନାଙ୍କ ଟାର୍ଗେଟରେ ଆମେରିକାର ରାଷ୍ଟ୍ରପତି ଜୋ- ବାଇଡେନ । ଟ୍ୱିଟ୍ ଯୋଗେ ବ୍ୟକ୍ତ କଲେ ଅସନ୍ତୋଷ । କହିଲେ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ନା ଚୀନର ରାଜଦୂତ

1,021

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ ଚୀନର ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ସହ କଥା ହୋଇଛନ୍ତି । ଏହି କଥାବାର୍ତ୍ତା ବେଳେ ଉଭୟ ଦେଶର ଲୋକଙ୍କର ସୁରକ୍ଷା, ବିକାଶ, ସ୍ୱାସ୍ଥ୍ୟ ଓ ଜୀବୀକାକୁ ସୁରକ୍ଷିତ କରିବା ନେଇ କଥା ହେବା ସହ ସ୍ୱତନ୍ତ୍ର ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ସଂରକ୍ଷିତ କରିବାକୁ ପ୍ରାଥମିକତା ଦେବାକୁ ସେମାନଙ୍କ ଭିତରେ ଆଲୋଚନା ହୋଇଛି । ଏହି ଆଲୋଚନା ପରେ ବାଇଡେନ ଜିନପିଙ୍ଗ୍ ଙ୍କୁ ବେସ୍ ପ୍ରଶଂସା କରିଥିଲେ ।
ଏହି ଖବର ପ୍ରଚାରିତ ହେବା ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଏନେଇ କଙ୍ଗନା ଅନେକ ଟ୍ୱିଟ୍ କରି ଆମେରିକାର ରାଷ୍ଟ୍ରପତିଙ୍କୁ ଟାର୍ଗେଟ୍ କରିଛନ୍ତି । କଙ୍ଗନା ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ‘ଦେଖନ୍ତୁ କିଭଳି ଭାବେ ଚୀନର ଆଜ୍ଞାକାରୀ ଗୃହପାଳିତ ପଶୁ ମାନେ ଲାଙ୍ଗୁଡ ହଲାଉଛନ୍ତି, ’ । ବାଇଡେନ୍ ଆମେରିକାର ରାଷ୍ଟ୍ରପତି ନା ଚୀନର ରାଜଦୂତ ବୋଲି ସେ ଆକ୍ଷେପ କରିଛନ୍ତି । ଏବେ ଚୀନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହେବାକୁ ଯାଉଛି । ଯାହାର କାରଣ ଦର୍ଶାଇ କଙ୍ଗନା କହିଛନ୍ତି କି ଚୀନର ଏଭଳି ଅଭିବୃଦ୍ଧି ପଛରେ ଆମେରିକାର ହାତ ରହିଛି ।


କହିରଖୁ କି କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ବେସ୍ ସକ୍ରିୟ ରହୁଛନ୍ତି । କିଛି ଦିନ ତଳେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ବିବାଦିୟ ଟ୍ୱିଟ କରି ଲୋକ ଲୋଚନକୁ ଆସିଥିଲେ । ଏନେଇ ମହାରାଷ୍ଟ୍ର ସରକାରଙ୍କ ସହ ତାଙ୍କର ବାକ୍ୟୁଦ୍ଧ ଦେଶର ରାଜନୀତିକୁ ସରଗରମ କରିଥିଲା । ଏହାପରେ କୃଷକ ଆନ୍ଦୋଳନକୁ ନେଇ ସେ କରିଥିବା ଟ୍ୱିଟ୍ ବେସ୍ ଭାଇରାଲ ହୋଇଥିଲା । ସେ ଆନ୍ଦୋଳନରତ କୃଷକ ମାନଙ୍କୁ ଦେଶଦ୍ରୋହୀ, ଖଲିସ୍ଥାନୀ ଓ ଟୁକଡେ ଟୁକଡେ ଗ୍ୟାଙ୍ଗ କହିବା ପରେ ଚାରିଆଡୁ ସମାଲୋଚନାର ଶିକାର ହୋଇଥିଲେ କଙ୍ଗନା । ଏବେ ଜାତୀୟ ନୁହେଁ ଆନ୍ତର୍ଜାତୀୟ ରାଜନୀତିରେ କଙ୍ଗନାଙ୍କ ହସ୍ତକ୍ଷେପ ତାଙ୍କୁ ବିବାଦ ଭିତରକୁ ଟାଣି ନେବନି ତ ?